ଶ୍ରୀମନ୍ଦିରରେ କରୋନା କଟକଣା : ଏପ୍ରିଲ ୧୫ ଯାଏଁ ଭିତରକାଠ ଦର୍ଶନ ବନ୍ଦ, ଅରୁଣ ଓ ଗରୁଡ ସ୍ତମ୍ଭ ଛୁଇଁବା ମନା, ମାସ୍କ ପିନ୍ଧିବେ ସେବାୟତ

Published By : Prameya-News7 Bureau | March 15, 2020 IST

ପୁରୀ ୧୫।୦୩:  କରୋନା ପାଇଁ ଶ୍ରୀମନ୍ଦିରରେ କଡା କଟକଣା ।  ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସୁରକ୍ଷିତ ପୂଜା ଏବଂ ଦର୍ଶନ ବ୍ୟବସ୍ଥା ପାଇଁ  ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ ରହିବ । ଧାଡି ମାଧ୍ୟମରେ ଭିତର କାଠ ନିକଟରୁ ଭକ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ମନ୍ଦିରରେ ଅରୁଣ ସ୍ତମ୍ଭ, ଗରୁଡ ସ୍ତମ୍ଭ କୌଣସି ଦେବାଦେବୀ, ବାହନଙ୍କ ମୂର୍ତ୍ତି କିମ୍ବା ଅନ୍ୟବସ୍ତୁକୁ ଛୁଇଁବା ବି ମନା ।  କରୋନା ସତର୍କତାକୁ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | 

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧକ୍ଷତାରେ ବସିଥିବା ଏହି ବୈଠକରେ  ଏସପି, ପ୍ରାଶାସନିକ ଅଧିକାରୀ,  ନୀତି ପ୍ରଶାସକ ଓ ସେବାୟତ ମାନେ ଉପସ୍ଥିତ ଥିଲେ | ନୀତିକାନ୍ତି, ସେବାପୂଜା ଓ ଦର୍ଶନ ବ୍ୟବସ୍ଥା ନେଇ ୫ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି | ଶ୍ରୀମନ୍ଦିର ପ୍ରଶାସନ , ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ଶ୍ରୀମନ୍ଦିର ମଧ୍ୟରେ ମାସ୍କର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି।  ତେବେ ସେବାୟତଙ୍କ ମଧ୍ୟରେ ଏହା ବାଧ୍ୟତାମୂଳକ ନୁହେଁ । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସତର୍କତା ମୂଳକ ପଦକ୍ଷେପ ସଂପର୍କରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। 

କରୋନା ସଂକ୍ରମଣ ନିରାକରଣ ପାଇଁ କେତେକ ପୂଜାବିଧି ଏବଂ ପରମ୍ପରା ଉପରେ କଟକଣା କରାଯାଇଛି । ଜଗମୋହନ ଭିତର ଏବଂ ଅରୁଣ ସ୍ତମ୍ଭ ପାଖରେ ଭକ୍ତଙ୍କ ଗହଳି ଉପରେ କଟକଣା କରାଯିବ |  ଯାତ୍ରୀ ମାନଙ୍କୁ ଶୃଙ୍ଖଳିତ ଭାବରେ ଜଗମୋହନ ଭିତରକୁ ଛଡ଼ାଯିବ |  ଆନନ୍ଦ ବଜାର ରେ ବସିବା ଏବଂ ଭୋଜନ ବ୍ୟବସ୍ଥା ଉପରେ କଟକଣା କରାଯିବ |  ଶ୍ରୀମନ୍ଦିରକୁ ଆସୁଥିବା ସମସ୍ଥ ଭକ୍ତ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମ ରେ ନିଜସ୍ବ ଘୋଷଣା ଦେବା ବାଧ୍ୟତା ମୂଳକ |  ଦର୍ଶନାର୍ଥୀ ଙ୍କ ର ପୂର୍ବ ଗସ୍ତ ସଂପର୍କରେ ସୂଚନା ନିଆଯିବ | |  ଶ୍ରୀମନ୍ଦିର ସହିତ ପୁରୀ ଜିଲ୍ଲାରେ କରୋନା  ଭଳି ଭୟଙ୍କର ଭାଇରସ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ସଂପନ୍ନ କରାଯାଇଛି | କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରତିଷେଧ ମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ ଉପରେ ସମସ୍ଥ ନିଯୋଗ, ସେବାୟତ ଓ ଯାତ୍ରୀ ମାନେ ସେମାନଙ୍କର ସହଯୋଗ ପ୍ରଦାନ ପାଇଁ ଅନୁରୋଧ କରାଯାଇଛି|

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.