କରୋନା ମୁକାବିଲା: ୫-ଟି ସଚିବଙ୍କ ସହ ପ୍ରମେୟ, ନ୍ୟୁଜ୍‌-୭ ଟିମ୍‌ର ଆଲୋଚନା

Published By : Prameya-News7 Bureau | March 16, 2020 IST

ଭୁବନେଶ୍ୱର ୧୬।୦୩: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ କରୋନା ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । କରୋନା ମୁକାବିଲା ପାଇଁ ଗଣମାଧ୍ୟମର କ’ଣ ଭୂମିକା ରହିବ, ତା ଉପରେ ଆଲୋଚନା ହୋଇଥିଲା ।ସୁମା ରିଅଲ ମିଡିଆର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ମନୋଜ ରଞ୍ଜନ ନାୟକ, ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ନ୍ୟୁଜ୍‌-୭ ଏକ୍‌ଜିକ୍ୟୁଟିଭ୍‌ ଏଡିଟର ଦେବନାରାୟଣ ସେଠୀ ଓ ‘ପ୍ରମେୟ’ ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର ଆଲୋଚନାରେ ଉପସ୍ଥିତ ଥିଲେ ।

 ଶ୍ରୀ ପାଣ୍ଡିଆନ୍‌ କହିଥିଲେ, ଏବେ ଅନେକ ଗୁଜବ ପ୍ରଚାରିତ ହେଉଛି । ଗୁଜବ ହିଁ ଭାଇରସ୍‌ ଭଳି ବ୍ୟାପିଥାଏ । ଏହା ଜନସାଧାରଣଙ୍କୁ ଅଧିକ ବିଭ୍ରାନ୍ତ କରିଥାଏ । କରୋନା ଏକ ମହାମାରୀ, ଯାହାକୁ ସଚେତନତା ଦ୍ୱାରା ବ୍ୟାପିବାରୁ ଦୂରେଇ ହେବ । ବିଶେଷକରି ଗଣମାଧ୍ୟମ ସୃଷ୍ଟି ହେଉଥିବା ଗୁଜବକୁ ପ୍ରତିହତ କରି ତଥ୍ୟପୂର୍ଣ୍ଣ ଓ ପ୍ରମାଣଯୁକ୍ତ ଖବର ପ୍ରକାଶ କରିବା ଉଚିତ୍‌ ବୋଲି ସେ ମତ ରଖିଥିଲେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଇଣ୍ଡିଆନ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ବା ସରକାରଙ୍କ ଦ୍ୱାରା ଅଧିକୃତ ଅଧିକାରୀଙ୍କ ମତାମତ ନ ନେଇ କରୋନା ସମ୍ପର୍କିତ କୌଣସି ଖବର ମୁଦ୍ରଣ ଓ ପ୍ରସାରଣ କରିବା ଉଚିତ୍‌ ନୁହେଁ । ଧର୍ମ ନାଁରେ କରୋନାକୁ ନେଇ ଅନେକ ଗୁଜବ ସୃଷ୍ଟି ହେଉଛି । ଆମେ ପରମାଣୁ ଯୁଦ୍ଧକୁ ମୁକାବିଲା କରିବା ଭଳି ଯଦି କରୋନା ମୁକାବିଲା ପାଇଁ ସମସ୍ତେ ଏକାଠି ହୋଇ ହାତ ବଢ଼ାଇବା ତେବେ ଏହା ଅଟକାଇ ଯାଇପାରିବ । ସୋସିଆଲ ମିଡିଆରେ ଯେଉଁ ଗୁଜବ ପ୍ରଚାରିତ ହେଉଛି ତାକୁ ତୁରନ୍ତ ରୋକାଯାଉ । ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯାଉ ବୋଲି ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର କହିଥିଲେ । କରୋନା ମୁକାବିଲାରେ ପ୍ରମେୟ ଓ ନ୍ୟୁଜ୍‌-୭ ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.