କୋରାପୁଟରେ ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ପାଳିତ

Published By : Prameya-News7 Bureau | November 05, 2018 IST

କୋରାପୁଟ ୫/୧୧:  ରାଜ୍ୟ ସ୍ତରୀୟ ଆଦିବାସୀ ମହୋତ୍ସବର ଏକ ଅଭିନ୍ନ ଅଙ୍ଗ ଭାବେ କୋରାପୁଟରେ ଗତବର୍ଷରୁ  ଆଦୃତ ହୋଇଛି ' କାର୍ନିଭାଲ' । ପରବର ମୁଖ୍ୟ ତିନିଦିନରେ ଲୋକେ ବିଭିନ୍ନ କଳାକାରଙ୍କ କଳା ପ୍ରଦର୍ଶନ ଓ ବିଭିନ୍ନ ଅନୁଷ୍ଠାନର ସଫଳତାର କାହାଣୀ ଦେଖିବା ସହ ଅସ୍ଥାୟୀ ବଜାରରୁ କିଛି ଜିନିଷ କିଣିନିଅନ୍ତି । କିନ୍ତୁ କାର୍ନିଭାଲ ଅବସରରେ ଲୋକେ ଅନ୍ୟମାନଙ୍କ ପ୍ରଦର୍ଶିତ କଳା ଓ କାହାଣୀ ଦେଖିବା ସହ ମ୍ୟୁଜିକାଲ ଚେୟାର , ଦଉଡି ଟଣା , ପୁଷ୍ପ ସଜ୍ଜାର ପ୍ରତିଯୋଗିତା ଭଳି ଅନେକ ଛୋଟବଡ ଘଟଣାରେ ନିଜେ ଭାଗ ନେଇପାରୁଥିବା ଯୋଗୁଁ ଏହି ଉତ୍ସବ ଏକ ନୂତନ ଧାରାରେ ଆନନ୍ଦ ବାଣ୍ଟିଦେଇଛି । ଆଜି ଅନୁଷ୍ଠିତ ଏହି ଉତ୍ସବର ବିଶେଷ ଆକର୍ଷଣ ସାଜିଥିଲା କୋରାପୁଟ ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ପ୍ରସ୍ତୁତ ହୋଇଥିବା ପୁଷ୍ପ ପ୍ରଦର୍ଶନୀ । ତତ୍ ସହିତ କଫି ବୋର୍ଡ ଓ କଫି ବିକାଶ ପ୍ରକଳ୍ପ ଦ୍ବାରା ଖୋଲାଯାଇଥିବା କୋରାପୁଟିଆ କଫି ପାର୍ଲରରେ କଫି ମଞ୍ଜିକୁ ସେହିଠାରେ ଗୁଣ୍ଡ କରାଯାଇ ପ୍ରସ୍ତୁତ କରାଯାଉଥିବା କଫିର ନିଆରା ସ୍ବାଦ ଚାଖିବା ପାଇଁ ଲୋକଙ୍କ ଭିଡ ଲାଗିରହିଥିଲା । ତେବେ ଏସବୁ ଭିତରେ କୋରାପୁଟ ସାଂସଦ ଝିନ ହିକକାଙ୍କ ଭଳି ଆଦିବାସୀ ନୃତ୍ୟ ପ୍ରତି ବିଶେଷ ଆକର୍ଷଣ ଥିବା ବ୍ୟକ୍ତିଙ୍କୁ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖିଥିଲା । କାର୍ନିଭାଲ ପଡ଼ିଆରେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସହର ମଧ୍ୟରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଲୋକଙ୍କ ମଧ୍ୟରେ ନୂତନ ଉତ୍ସାହ ଭରିଦେଇଥିଲା । ଏହି ଶୋଭାଯାତ୍ରାରେ ପ୍ରଥମ ଥର ପାଇଁ ଡିଏଭି ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଘ ଆସନ୍ତା ଡିସେମ୍ବର ମାସରେ ହେବାକୁ ଥିବା ମହାବିଦ୍ୟାଳୟର ସ୍ବର୍ଣ୍ଣ ଜୟନ୍ତୀର ବାର୍ତାକୁ ନେଇ ଯୋଗ ଦେବା ବିଶେଷ ଭାବେ ଆଦୃତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.