‘ତାଣ୍ଡବ’ କଳାକାର ଓ ନିର୍ଦ୍ଦେଶକଙ୍କ ଜିଭ କାଟି ଆଣିଲେ ମିଳିବ ୧ କୋଟି ଟଙ୍କା ପୁରସ୍କାର- କରଣୀ ସେନା
25/01/2021 at 2:21 PM

ମୁମ୍ବାଇ ୨୫/୦୧ : ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ସମେତ ଅନ୍ୟ ବଡ କଳାକାରଙ୍କୁ ନେଇ ହୋଇଥିବ ଏବେବି ସିରିଜ ‘ତାଣ୍ଡବ’କୁ ନେଇ ବିବାଦ ଲଗାତାର ବଢ଼ିବାରେ ଲାଗିଛି। ଉତ୍ତର ପ୍ରଦେଶ, ଝାରଖଣ୍ଡ ଓ ଅନ୍ୟାନ୍ୟ ରାଜ୍ୟମାନଙ୍କରେ ତାଣ୍ଡବକୁ ନେଇ ବିରୋଧ ଦେଖିବାକୁ ମିଳିଛି। ୱେବ ସିରିଜରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରାଯାଇଥିବା ହିନ୍ଦୁ ସଂଗଠନ ଆରୋପ ଲଗାଇଛନ୍ତି। ଏହି ମାମଲାରେ ବର୍ତ୍ତମାନ କରଣୀ ସେନା ବି ବିରୋଧ ଆରମ୍ଭ କରିଛି।

ମହାରାଷ୍ଟ୍ର କରଣୀ ସେନା ପ୍ରମୁଖ ଅଜୟ ସିଂହ ସେଙ୍ଗରଙ୍କ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓରେ ସେ ତାଣ୍ଡବକୁ ବିରୋଧ କରିଛନ୍ତି। ବିରୋଧ ସହ ଚେତାବନୀ ଦେଇଥିବା ମଧ୍ୟ ନଜର ଆସିଛନ୍ତି। ଭିଡିଓରେ ସେ କହିଛନ୍ତି, ‘ତାଣ୍ଡବ ୱେବ ସିରିଜରେ କଳାକାର ଓ ନିର୍ଦ୍ଦେଶକ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିଛନ୍ତି। ଦେବାଦେବୀଙ୍କୁ ଅପମାନ କରିଥିବା ଲୋକଙ୍କ ଜିଭ କାଟି ଆଣିଲେ ମହାରାଷ୍ଟ୍ର କରଣୀ ସେନା ତାଙ୍କୁ ଏକ କୋଟି ଟଙ୍କା ପୁରସ୍କାର ଦେବ।’
ସେ ଆହୁରି କହିଛନ୍ତି ଧର୍ମର ଅପମାନ କରିଥିବା ଆରୋପରେ କମଲେଶ ତିୱାରୀଙ୍କ ଘରେ ପଶି ଗଳା କଟାଯାଇଥିଲା। ତାଣ୍ଡବର ନିର୍ମାତା ଓ ନିର୍ଦ୍ଦେଶକ କ୍ଷମା ନିଶ୍ଚୟ ମାଗିଛନ୍ତି କିନ୍ତୁ ଯଦି ସେମାନେ କମଲେସ ତିୱାରୀଙ୍କୁ କ୍ଷମା କରିନଥିଲେ ତାହେଲେ ତାଙ୍କୁ କାହିଁକି କ୍ଷମା କରାଯିବ ବୋଲି ସେଙ୍ଗର କହିଛନ୍ତି।
ତାଣ୍ଡବ ବିବାଦରେ ଉତ୍ତର ପ୍ରଦେଶରେ ମାମଲା ରୁଜ୍ଜୁ ହୋଇଛି। ମାମଲା ରୁଜ୍ଜୁ ପରେ ଲକ୍ଷ୍ନୌ ପୋଲିସ ଯାଞ୍ଚ ପାଇଁ ମୁମ୍ବାଇ ପହଞ୍ଚିଥିଲା। ଜାନୁଆରୀ ୨୩ ତାରିଖରେ ଲକ୍ଷ୍ନୌ ପୋଲିସ ୩ ଜଣ, ନିର୍ଦ୍ଦେଶକ ଅଲି ଅବାସ ଜାଫର, ଲେଖକ ଗୌରବ ସୋଲଙ୍କି ଓ ନିର୍ମାତା ହିମାଂଶୁ ମେହରାଙ୍କ ଲିଖିତ ବୟାନ ନେଇଥିଲା। ଆମାଜନ ପ୍ରାଇମର ମୁଖ୍ୟ ଅପର୍ଣ୍ଣା ପୁରୋହିତ ଦିଲ୍ଲୀରେ ଥିବା ଯୋଗୁଁ ତାଙ୍କ ବୟାନ ନେଇପାରିନଥିଲା।