ଜୁଲାଇ ୫ରୁ ପ୍ରତି ରବିବାର ଲକ୍‌ଡାଉନ୍‌, ବନ୍ଦ ରହିବ ଦୋକାନ-ବଜାର

Published By : Prameya-News7 Bureau | June 27, 2020 IST

ବେଙ୍ଗାଲୁରୁ ୨୭।୦୬: କର୍ଣ୍ଣାଟକରେ ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ପ୍ରତି ରବିବାର ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଜୁଲାଇ ୫ରୁ ପ୍ରତି ରବିବାର ଲକ୍‌ଡାଉନ୍‌ ଲାଗୁ ହେବ। ଏହି ଲକ୍‌ଡାଉନ୍‌ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାରି ରହିବ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ଯେ, ରବିବାର ହେବାକୁ ଥିବା ଲକ୍‌ଡାଉନ୍‌ରେ ଦୋକାନ ଓ ସବୁ ପ୍ରତିଷ୍ଠାନ ବନ୍ଦ ରହିବ। କିନ୍ତୁ ଜରୁରୀ ସେବା ତଥା ଯୋଗାଣ ସମ୍ବନ୍ଧିତ ଦୋକାନ, ଷ୍ଟୋର ଓ କାର୍ଯ୍ୟାଳୟ ଖୋଲା ରହିବ। ଅନ୍ୟପଟେ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ସୋମବାର ସନ୍ଧ୍ୟାଠୁ ରାଜ୍ୟର ସରକାରୀ ଏବଂ ଘରୋଇ ହସ୍ପିଟାଲରେ ୧୦ ହଜାର ଶଯ୍ୟାର ବ୍ୟବସ୍ଥା ହେବ।

କର୍ଣ୍ଣାଟକରେ ଗତ ୨୪ ଘଣ୍ଟାରେ ୯୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ମୋଟ୍ ୧୧,୯୨୩ରେ ପହଞ୍ଚିଛି। ଏଥିରୁ ୭୨୮୭ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ଶନିବାର ମୋଟ୍ ୩୭୧ ସଂକ୍ରମିତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୪୪୪୧ ରହିଛି। ରାଜ୍ୟରେ ଅଦ୍ୟାବଧି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୧ ରହିଛି। ଏବେ ମୋଟ୍ ୧୯୭ ରୋଗୀ ଆଇସିୟୁରେ ଭର୍ତ୍ତି ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.