କର୍ଣ୍ଣାଟକ, ଉତ୍ତରାଖଣ୍ଡ ପରେ ଏବେ ଗୁଜରାଟ, ୬ ମାସରେ ବିଜେପି ବଦଳାଇଲା ୪ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | September 11, 2021 IST

ନୂଆଦିଲ୍ଲୀ ୧୧।୦୯: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଶନିବାର ଅପ୍ରତ୍ୟାଶିତ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ବିଜେପି) ରାଜ୍ୟରେ ଚେହେରା ବଦଳାଇଛି। କୁହାଯାଉଛି, ବିଜେପି ସରକାର ବିରୋଧରେ ଜନଆକ୍ରୋଶକୁ ଦୃଷ୍ଟିରେ ରଖି ପାର୍ଟି ଚେହେରା ବଦଳାଇଛି। ନିକଟରେ ଉତ୍ତରାଖଣ୍ଡ ଓ କର୍ଣ୍ଣାଟକରେ ମଧ୍ୟ ବିଜେପି ଏହି ଫର୍ମୁଲା ଆପଣେଇଥିଲା। ଗତ ୬ ମାସରେ ବିଜେପି ୪ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇଛି। ରାଜନୈତିକ ବିଶେଷଜ୍ଞ ଏହା ପଛର କାରଣ ଖୋଜିବାରେ ଲାଗି ପଡିଛନ୍ତି। କିନ୍ତୁ ନିର୍ବାଚନ ରଣନୀତି ଏହା ସ୍ଥିର କରିବ ଯେ, ବିଜେପିର ଏହି ରଣନୀତି କେତେ ସଫଳ।

ରୂପାନୀଙ୍କ ପୂର୍ବରୁ କର୍ଣ୍ଣାଟକରେ  ଜୁଲାଇ ମାସରେ ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବିଏସ ୟେଦୁରପ୍ପାଙ୍କ ପ୍ରତି ପାର୍ଟିରେ ଅନେକ ନେତା ଅସନ୍ତୁଷ୍ଟ ଥିଲେ। ଲିଙ୍ଗାୟତ ସମୁଦାୟର ବଡ ନେତା ଏବଂ ଦକ୍ଷିଣ ଭାରତରେ ପଦ୍ମ ଫୁଟାଇଥିବା ୟେଦୁରପ୍ପାଙ୍କ ସ୍ଥାନରେ ତାଙ୍କର ନିକଟତମ ନେତା ବିଏସ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ।

ମାର୍ଚ୍ଚ ମାସରେ ଉତ୍ତରାଖଣ୍ଡରେ ତୀରଥ ସିଂହ ରାଓ୍ଵତଙ୍କୁ  ହଟାଇ ତ୍ରିବେନ୍ଦ୍ର ସିଂହ ରାଓ୍ଵତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଗୁଜରାଟ ଓ ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଯାଉଛି। ଉତ୍ତରାଖଣ୍ଡରେ ମଧ୍ୟ ତ୍ରିବେନ୍ଦ୍ର ସିଂହ ରାଓ୍ଵତଙ୍କ ବିରୋଧରେ ଅସନ୍ତୋଷକୁ ନେଇ ତୀରଥ ସିଂହ ରାଓ୍ଵତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ହେଲେ ସେ ଅଧିକ ଦିନ ନିଜ ପଦରେ ତିଷ୍ଠି ପାରିନଥିଲେ। ଏବେ ସେଠାରେ ପୁଷ୍କର ସିଂହ ଧାମୀଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି। ଅନେକ ବିବାଦୀୟ ବୟାନ କାରଣରୁ ତୀରଥ ସିଂହ ରାଓ୍ଵତ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ। ଏଥିରେ ସରକାରଙ୍କ ଛବି ମଳିନ ପଡୁଥିବା ଦେଖି ବିଜେପି ତାଙ୍କୁ ପଦରୁ ଛୁଟି ଦେଇଛି।

ଆସାମରେ ବିଜେପି ନିକଟରେ ନୂତନ ନେତୃତ୍ଵ ଦେଇଛି। ଆସାମରେ ସର୍ବାନନ୍ଦ ସୋନଓ୍ଵାଲ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପାର୍ଟି ରାଜ୍ୟରେ ପୁନର୍ବାର କ୍ଷମତାକୁ ଫେରିବାରେ ସଫଳ ହୋଇଛି। ନିର୍ବାଚନ ପରେ ବିଜେପି ହିମନ୍ତ ବିଶ୍ଵ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ବିଜେପି ଏହି ପରି ଗତ ୬ ମାସରେ ଚାରି ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରି ସାରିିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.