କର୍ଣ୍ଣାଟକ ବୁଲା କୁକୁର ହତ୍ୟା ମାମଲା: ପଞ୍ଚାୟତ ସେକ୍ରେଟାରୀଙ୍କ ସମେତ ୧୨ ଗିରଫ

Published By : Prameya-News7 Bureau | September 13, 2021 IST

ଶିବମୋଗ୍ଗା ୧୩।୯: କର୍ଣ୍ଣାଟକ ଶିବମୋଗା ଜିଲ୍ଲା କମ୍ବାଡାଲୁ-ହୋସୁର ଗ୍ରାମପଞ୍ଚାୟତ ବୁଲା କୁକୁର ହତ୍ୟା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ମାମଲାରେ ପୋଲିସ ଜଣେ ପଞ୍ଚାୟତ ସେକ୍ରେଟାରୀଙ୍କ ସମେତ ୨ ପଞ୍ଚାୟତ ସଦସ୍ୟ ଓ ଜେସିବି ଅପରେଟରଙ୍କୁ ମିସାଇ ମୋଟ ୧୨ ଜଣଙ୍କୁ ଗିରଫ କରିଛି। ପଞ୍ଚାୟତରେ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ଲାଗି ସେମାନଙ୍କ ବନ୍ଧ୍ୟାକରଣ ନିମନ୍ତେ ଠିକାଦାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତେବେ କାମ ଓଲଟା ହୋଇଛି। ଜିଅନ୍ତା କୁକୁରଙ୍କୁ ଧରି ପୋତି ଦିଆଯାଇଛି।

ଠିକାଦାର ବୁଲା କୁକୁରଙ୍କୁ ଧରି ବନ୍ଧ୍ୟାକରଣ କରିବା ପରେ ଛାଡିଦେବାର ଠିକା ପାଇଥିଲେ।  ତେବେ କେଉଁଭଳି ପରିସ୍ଥିତିରେ କୁକୁରଙ୍କୁ ହତ୍ୟା କରିବା ଲାଗି ଯୋଜନା କଲେ ସେ ନେଇ ପୋଲିସ ଏବେ ଯାଞ୍ଚ କରୁଛି। କୁକୁରଙ୍କୁ ଧରି ବନ୍ଧ୍ୟାକରଣ ନିମନ୍ତେ ପାରିଶ୍ରମିକ ମଧ୍ୟ ତୁଟି ଥିଲା। ହେଲେ ଠିକାଦାର କୁକୁରଙ୍କୁ ବିଷ ଇଞ୍ଜେକ୍ସନ ଦେଇ ଓ ଜିଅନ୍ତା ଗାତ ଖୋଳି ପୋତି ଦେଇଥିବା ନେଇ ଗ୍ରାମ୍ୟ ପଶୁ ଅଧିକାର କର୍ମୀମାନେ ଅଭିଯୋଗ କରିଥିଲେ।

ଏହି ଅଭିଯୋଗ ପରେ ପୋଲିସ କୁକୁରଙ୍କୁ ପୋତା ଯାଇଥିବା ସ୍ଥାନ ଖୋଳି ସେମାନଙ୍କ ଶବ ଜବତ କରିବା ସହ ପୋଷ୍ଟମର୍ଟମ ଲାଗି ପଠାଇଥିଲା। ମାମଲାରେ ଏବେ ଜଡିତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ୧୨ ଜଣ ଗିରଫ ହୋଇଛନ୍ତି। କର୍ଣ୍ଣାଟକରେ ବୁଲା କୁକୁରଙ୍କୁ ନିର୍ମମ ହତ୍ୟା ନେଇ ଖବର ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.