କର୍ଣ୍ଣାଟକରେ କମ୍ପନ: ସଙ୍କଟରେ ସ୍ବାମୀ ସରକାର, ଇସ୍ତଫା ନାଟକ ଜାରି; କଂଗ୍ରେସର ୨୧ ଓ ଜେଡିଏସର ସମସ୍ତ ୧୧ ଜଣ ଯାକ ମନ୍ତ୍ରୀ ଇସ୍ତଫା, ଲୋକସଭାରେ ଝଡ଼

Published By : Prameya-News7 Bureau | July 08, 2019 IST

ବାଙ୍ଗାଳୁରୁ୮|୭: କର୍ଣ୍ଣାଟକରେ ହାଇଭୋଲଟେଜ ପଲିଟିକାଲ ଡ୍ରାମା । ଶନିବାରଠାରୁ ଟ୍ରେଲର ରିଲିଜ ହୋଇସାରିଥିବା ବେଳେ ଏବେ ଧୀରେ ଧୀରେ ଇଣ୍ଟରେଷ୍ଟିଙ୍ଗ୍ ହେବାରେ ଲାଗିଛି ଫିଲ୍ମ । ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଗତକାଲି ଆମେରିକାରୁ ଫେରି ପୂରା ଘଟଣା ଉପରେ ତାଳି ପକାଇବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଆଜି କଂଗ୍ରେସ ଓ ଜେଡିଏସର ସମସ୍ତ ମନ୍ତ୍ରୀ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ଏସବୁ ଭିତରେ କର୍ଣ୍ଣାଟକରେ ନୂଆ କ୍ୟାବିନେଟ ପାଇଁ ସଜବାଜ ଚାଲିଥିବା ବେଳେ ଇସ୍ତଫା ଦେଇଥିୂବା ବିଧାୟକ ମୁମ୍ବାଇରେ ତାରକା ହୋଟେଲରେ ଦିନ କାଟୁଛନ୍ତି । ଏପଟେ ଆଜି ଏହି ଘଟଣାକୁ ନେଇ କମ୍ପିଛି ଲୋକସଭା ।

କର୍ଣ୍ଣାଟକ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ଶନିବାର ଠାରୁ ଆରମ୍ଭ ହୋଇଥିବା ଇସ୍ତଫା ଭୂତ ଏବେ ବିଧାୟକଙ୍କୁ ଠାରୁ ଯାଇ ମନ୍ତ୍ରୀମାନଙ୍କ ଠାରେ ଲାଗିଛି । ଆଜି କୁମାରସ୍ବାମୀଙ୍କ କ୍ୟାବିନେଟରେ ଥିବା କଂଗ୍ରେସର ୨୧ ଓ ଜେଡିଏସର ସମସ୍ତ ୧୧ ଜଣ ଯାକ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଟ୍ବିଟର ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି ।  ନୂଆ କ୍ୟାବିନେଟ ଗଠନ କରି ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବା ପାଇଁ ଏଭଳି କରାଯାଉଥିବା ଅନୁମାନ କରାଯାଉଛି । ସେପଟେ ସରକାରଙ୍କୁ ସମର୍ଥନ ଦେଉଥିବା ସ୍ବାଧୀନ ବିଧାୟକ ଏଚ୍ ନାଗେଶ  ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ମୁମ୍ବାଇରେ ରହୁଥିବା ବିଧାୟକମାନଙ୍କ ହୋଟେଲରେ ପହଞ୍ଚିଛନ୍ତି । ବିଜେପି ସରକାର ଗଠନ ପାଇଁ ପ୍ରୟାସ କଲେ ସେ ସମର୍ଥନ ଦେବା ନେଇ ମଧ୍ୟ ଘୋଷଣା କରିଛନ୍ତି ।

ସମସ୍ତ ବିଧାୟକ ବୈଠକରେ ଉପସ୍ଥିତ ରହିବା ସହ କଂଗ୍ରେସମନ୍ତ୍ରୀମାନେ ଇସ୍ତଫା ଦେବାକୁ ସ୍ଥିର ହୋଇଥିଲା । ଦଳୀୟ ନିର୍ଦ୍ଦେଶ ମୁତାବକ ସମସ୍ତ ମନ୍ତ୍ରୀ ଗାଦି ଛାଡ଼ିଛନ୍ତି । ସେପଟେ ଜେଡିଏସର ସମସ୍ତ ବିଧାୟକଙ୍କ ପାଇଁ ମାଡିକେରୀରେ ୩ ଦିନ ପାଇଁ ୩୫ଟି ରୁମ୍ ବୁକ୍ କରାଯାଇଛି ।

ଆଉ ଏପଟେ କର୍ଣ୍ଣାଟକ ସଙ୍କଟକୁ ନେଇ ଲୋକସଭାରେ ଝଡ଼ ଉଠିଛି । ଲୋକସଭାରେ କଂଗ୍ରେସ କ୍ୟାପଟେନ୍ ଅଧୀର ରଞ୍ଜନ ଚୌଧୁରୀ ସିଧାସିଧା ବିଜେପିକୁ ଆକ୍ଷେପ କରିବା ସହ ଏହା ମୋଦି ଓ ଶାହାଙ୍କ ଦ୍ବାରା ପ୍ରାୟୋଜିତ ନାଟକ ବୋଲି କହିଛନ୍ତି । ସେପେଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାକୁ ବାଏଁ ବାଏଁ ଉଡାଇବା ସହ ରାହୁଲ ଗାନ୍ଧିଙ୍କ ଠାରୁ ହିଁ ଇସ୍ତଫା ନାଟକର ଶୁଭାରମ୍ଭ ହୋଇଥିବା କହିଛନ୍ତି ।

ବର୍ତ୍ତମାନ ଯାଏଁ କଂଗ୍ରେସର ୧୦, ଜେଡିଏସର ୩ ଓ ଜଣେ ସ୍ବାଧୀନ ବିଧାୟକଙ୍କ ସହ ମୋଟ ୧୪ ବିଧାୟକ ଇସ୍ତଫା ଦେଇସାରିଛନ୍ତି । ତେବେ ମଙ୍ଗଳବାର ବାଚସ୍ପତି ଛୁଟିରୁ ଫେରୁଥିବା ବେଳେ ସରକାରର ସ୍ଥାୟୀତ୍ବ ନେଇ ଫାଇନାଲ ଡିସିସନ ନେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.