ଆଜି କର୍ଣ୍ଣାଟକ ଶକ୍ତି ପରୀକ୍ଷା : ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ କୁମାରସ୍ବାମୀ, ଇସ୍ତଫା ଦେଇଥିବା ବିଧାୟକଙ୍କ ଉପରେ ଲାଗିବନି ହ୍ବିପ୍
18/07/2019 at 9:20 AM

ନୂଆଦିଲ୍ଲୀ ୧୮|୭: କର୍ଣ୍ଣାଟକରେ ଏଚ୍.ଡି କୁମାରସ୍ବାମୀଙ୍କ ପାଇଁ ଆଜି ଶକ୍ତି ପରୀକ୍ଷା । ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ କୁମାରସ୍ବାମୀ । ଇସ୍ତଫା ଦେଇଥିବା ୧୫ବିଦ୍ରୋହୀ ବିଧାୟକଙ୍କ ଉପରେ ଆସ୍ଥା ଭୋଟରେ ଭାଗ ନେବାକୁ ଚାପ ପକାଯାଇପାରିବନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେଣୁ ଗୃହର ମୋଟ୍ ସଦସ୍ୟ ସଂଖ୍ୟା ୨୨୪ରୁ କମି ୨୦୮ରେ ରହିବ । କୁମାରସ୍ବାମୀ ସରକାରଙ୍କୁ ୧୦୫ସଂଖ୍ୟା ସାବ୍ୟସ୍ତ କରିବାକୁ ପଡିବ ।
ଇସ୍ତଫା ଦେଇଥିବା ବିଧାୟକଙ୍କୁ ବାଦ ଦେଲେ କୁମାରସ୍ବାମୀ ସରକାରଙ୍କ ପାଖରେ ୧୦୧ ବିଧାୟକଙ୍କ ସମର୍ଥନ ରହିବ । ଇସ୍ତଫା ଗୃହୀତ ହେଲେ କଂଗ୍ରେସର ବିଧାୟକ ସଂଖ୍ୟା ୭୯ରୁ କମି ୬୬କୁ ଆସିବ ଏବଂ ଜେଡିଏସ୍ ବିଧାୟକଙ୍କ ସଂଖ୍ୟା ୩୭ରୁ ଖସି ୩୪ରେ ପହଞ୍ଚିବ। ଏଭଳି ସ୍ଥିତିରେ ବିଜେପିକୁ ଯଥେଷ୍ଟ ଫାଇଦା ମିଳିବ। କାରଣ ବିଜେପି ନିକଟରେ ୧୦୫ବିଧାୟକ ଅଛନ୍ତି ଏବଂ ୨ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ବି ରହିଛି ।
ସେପଟେ ସରକାରଙ୍କ ବିରୋଧରେ ବିଦ୍ରୋହୀ ବିଧାୟକ ଭୋଟ୍ ଦେଲେ ତାଙ୍କ ସଦସ୍ୟତା ରଦ୍ଦ ହେବ । ଯଦି ବାଚସ୍ପତି ବିଧାୟକଙ୍କ ଇସ୍ତଫା ମଂଜୁର କରିବେ ନାହିଁ ଏବଂ ବିଦ୍ରୋହୀ ବିଧାୟକମାନେ ଗୃହରେ ଉପସ୍ଥିତ ରହି ସରକାରଙ୍କ ସପକ୍ଷରେ ଭୋଟ୍ ଦେବେ ତା’ହେଲେ ସେଭଳି ସ୍ଥିତିରେ ହିଁ ସରକାର ତିଷ୍ଠି ରହିବ।
ଗତକାଲି ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ମାମଲାରେ ସୁପ୍ରିମକୋର୍ଟ ରାୟ ସରକାରଙ୍କ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ, ଇସ୍ତଫା ଦେଇଥିବା ୧୫ ଜଣ ବିଧାୟକଙ୍କ ବିରୋଧରେ ଦଳୀୟ ହ୍ବିପ୍ ଲାଗୁ ହୋଇପାରିବ ନାହିଁ କିମ୍ବା ସେମାନଙ୍କୁ ବିଧାନସଭାର କୌଣସି କାର୍ଯ୍ୟରେ ସାମିଲ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ।