କର୍ଣ୍ଣାଟକରେ ପୁଣି ରାଜନୈତିକ ସଙ୍କଟ ; ବିପଦରେ କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର
19/01/2019 at 9:24 AM

ବେଙ୍ଗାଲୁରୁ ୧୯|୧: କର୍ଣ୍ଣାଟକରେ ପୁଣି ରାଜନୈତିକ ସଙ୍କଟ। ପୁଣି ବିପଦରେ କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର। ମେଣ୍ଟ ସରକାର ପ୍ରତି ବିଜେପିର ଅପରେସନ କମଳ ଭୟ ଏବେ ବି ରହିଛି। ଗତକାଲି କଂଗ୍ରେସ ତାର ସବୁ ବିଧାୟକଙ୍କ ଏକଜୁଟ କରିବା ଲାଗି ବୈଠକ ଡକାଇଥିଲା। କଂଗ୍ରେସର ୭୬ ଜଣ ବିଧାୟକ ବୈଠକରେ ସାମିଲ ହୋଇଥିବାବେଳେ ୪ ଜଣ ବିଧାୟକ ବୈଠକରେ ସାମିଲ ହୋଇନଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦେଇ ବାକି ୩ଜଣ ବିଧାୟକଙ୍କ ବିରୋଧରେ ଦଳ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ବିଜେପିର ପାଲରେ ଯେମିତି କଂଗ୍ରେସର କୌଣସି ବିଧାୟନ ନପଡନ୍ତି ସେଥିପାଇଁ ଗତକାଲି ରାତିରେ ୭୬ ଜଣ ବିଧାୟକଙ୍କୁ ବେଙ୍ଗାଲୁରୁରର ଏକ ରିସୋର୍ଟରେ ରଖିବାକୁ ଦଳ ନିଷ୍ପତ୍ତି ନେଇଛି। ବିଳାସପୂର୍ଣ୍ଣ ରିସୋର୍ଟରେ ରଖିବାପାଇଁ ବିଧାୟକଙ୍କୁ ବସରେ ନିଆଯାଇଥିଲା। ତେଣୁ ଆଗକୁ କର୍ଣ୍ଣାଟକ ରାଜନୀତି କେଉଁ ମୋଡ ନେଉଛି ତାରି ଉପରେ ରହିବ ସମସ୍ତଙ୍କ ନଜର। ସେପଟେ ମେଣ୍ଟ ସରକାର ପତନ ଘଟାଇବାପାଇଁ ବିଜେପିର ଅପରେସନ କମଳ ବିଫଳ ପାଇଁ ବିଜେପି ନେତା ବିଏସ ୟେଦୁରପ୍ପାଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠିଛି। ୟେଦୁରପ୍ପାଙ୍କ ଉପରୁ ଦଳ ଭରସା ହରାଉଛି ବୋଲି ଚର୍ଚ୍ଚା ଜୋର ଧରିଛି।