ମୁସଲମାନଙ୍କ ନିକାହ ଏକ କଣ୍ଟ୍ରାକ୍ଟ, ହିନ୍ଦୁ ବିବାହ ଭଳି ରୀତିନୀତି କି ସଂସ୍କାର ନୁହେଁ: କର୍ଣ୍ଣାଟକ ହାଇକୋର୍ଟ

Published By : Prameya-News7 Bureau | October 20, 2021 IST

ବେଙ୍ଗାଲୁରୁ ୨୦/୧୦ : କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ ମୁସଲମାନ ନିକାହ ଏକ ଚୁକ୍ତିନାମା ବା କଣ୍ଟ୍ରାକ୍ଟ ଯାହାର ଅନେକ ଅର୍ଥ ରହିଛି। ଏହା ହିନ୍ଦୁ ବିବାହ ଭଳି କୌଣସି ସଂସ୍କାର ବା ରୀତି ନୁହେଁ ଓ ଏହାର ବିଲୋପରୁ ଉତ୍ପନ୍ନ ହେଉଥିବା କିଛି ଅଧିକାର ଏବଂ ଦାୟିତ୍ୱକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ। ମାମଲା ବେଙ୍ଗାଲୁରୁର ଭୁବନେଶ୍ୱର ନଗରରେ ଏଜାଜୁର ରହମାନଙ୍କ ଏକ ଆବେଦନ ସମ୍ବନ୍ଧୀୟ। ୨୦୧୧ ଅଗଷ୍ଟ ୧୨ ତାରିଖରେ ବେଙ୍ଗାଲୁରୁରେ ଏକ ଫ୍ୟାମିଲି କୋର୍ଟରେ ପ୍ରଥମ ଅତିରିକ୍ତ ପ୍ରିନ୍ସିପାଲ ନ୍ୟାୟାଧୀଶଙ୍କ ଆଦେଶ ରଦ୍ଦ କରିବାକୁ ଅନୁରୋଧ କରାଯାଇଥିଲା। ରହମାନ ନିଜ ପତ୍ନୀ ସାୟରା ବାନୋଙ୍କୁ ୫ ହଜାର ଟଙ୍କା 'ମେହର' ସହ ବିବାହ କରିବାର କିଛି ମାସ ପରେ ତଲାକ କହି ନଭେମ୍ବର ୨୫, ୧୯୯୧ କୁ ତଲାକ ଦେଇଥିଲେ।

ଏହି ତଲାକ ପରେ ରହମାନ ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ବିବାହ ପରେ ସେ ଗୋଟିଏ ସନ୍ତାନର ବାପା ହୋଇଥିଲେ। ଏହାପରେ ସାୟରା ଗୁଜୁରାଣ ଭତ୍ତା ନେବା ପାଇଁ ୨୦୦୨ ଅଗଷ୍ଟ ୨୪ ରେ ଏକ ଦିବାନି ମୁକଦ୍ଦମା ଦାୟର କରିଥିଲେ। ଫ୍ୟାମିଲି କୋର୍ଟ ଆଦେଶ ଦେଇଥିଲେ ଯେ ମୁକଦ୍ଦମା ତାରିଖ ଠାରୁ ମୃତ୍ୟୁ କିମ୍ବା ପୁନଃବିବାହ କିମ୍ବା ଅଭିଯୁକ୍ତଙ୍କ ମୃତ୍ୟୁ ପର୍ଯ୍ୟନ୍ତ ୩୦୦୦ ଟଙ୍କା ହାରରେ ମାସିକ ରକ୍ଷଣାବେକ୍ଷଣ ଭତ୍ତା ପାଇଁ ହକଦାର।

ନ୍ୟାୟମୂର୍ତ୍ତି କୃଷ୍ଣା ଏସ ଦୀକ୍ଷିତ ୨୫ ହଜାର ଟଙ୍କା ଜରିମାନା ସହିତ ଆବେଦନ ଖାରଜ କରି ଅକ୍ଟୋବର ୭ ତାରିଖରେ ନିଜ ଆଦେଶରେ କହିଥିଲେ ଯେ, "ନିକାହ ଏକ ଚୁକ୍ତିନାମା ଯାହାର ଅନେକ ଅର୍ଥ ରହିଛି। ଏହା ହିନ୍ଦୁ ବିବାହ ଭଳି ଏକ ରୀତି ନୁହେଁ। ଏହା ସତ୍ୟ।"

ପୀଠ କହିଥିଲେ ଯେ, "ତଲାକ ଜରିଆରେ ବିବାହ ଭାଙ୍ଗିଯିବା ପରେ ମଧ୍ୟ ପକ୍ଷର ସମସ୍ତ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପୂର୍ଣ୍ଣ ସମାପ୍ତ ହୁଏନାହିଁ ।" କୋର୍ଟ କହିଛନ୍ତି, “ମୁସଲମାନଙ୍କର ଏକ ଚୁକ୍ତିନାମାରେ ନିକାହ ହୋଇଥାଏ ଏବଂ ଏହା ଶେଷରେ ମାନ୍ୟତା ପାଇଥାଏ ଯାହା ସାଧାରଣତଃ ଅନ୍ୟ ସମ୍ପ୍ରଦାୟରେ ମଧ୍ୟ ହୋଇଥାଏ। ଏହି ପରିସ୍ଥିତି କିଛି ଯଥାର୍ଥ ଦାୟିତ୍ୱବୋଧକୁ ଜନ୍ମ ଦେଇଥାଏ । ତାହା ଚୁକ୍ତିରୁ ଜନ୍ମ ହୋଇଥିବା ଦାୟିତ୍ୱ।"

କୋର୍ଟ କହିଛନ୍ତି ଯେ ଆଇନ ଏ ଅନୁଯାୟୀ ନୂଆ ଦାୟିତ୍ୱ ମଧ୍ୟ ଉତ୍ପନ୍ନ ହୋଇପାରେ। ସେଥିରୁ ଗୋଟିଏ ଦାୟିତ୍ୱ ହେଲା ବ୍ୟକ୍ତିକୁ ନିଜର ପୂର୍ବ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଦେବା କର୍ତ୍ତବ୍ୟ ଯିଏ ତଲାକ ଯୋଗୁଁ ନିଜ ଭରଣପୋଷଣ କରିବାରେ ଅସମର୍ଥ। ନ୍ୟାୟମୂର୍ତ୍ତି ଦୀକ୍ଷିତ କୁରାନରେ ସୁରହ ଅଲ-ବକରାହ ପଦଗୁଡିକ ଉଦ୍ଦେଶ୍ୟରେ କହିଛନ୍ତି ଯେ ନିଜର ଅସହାୟ ପୂର୍ବତନ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଦେବା ଜଣେ ପ୍ରକୃତ ମୁସଲମାନର ନୈତିକ ଏବଂ ଧାର୍ମିକ କର୍ତ୍ତବ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.