Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲକ୍‌ଡାଉନ୍‌ ୪.୦: ରାଜ୍ୟରେ ଘରୋଇ ବସ୍ ଓ ଟ୍ରେନ୍ ଚଳାଚଳକୁ ଅନୁମତି ଦେଲେ କର୍ଣ୍ଣାଟକ ସରକାର, ସେଲୁନ ସହ ଖୋଲିବ ସବୁ ଦୋକାନ

18/05/2020 at 3:13 PM

ବେଙ୍ଗାଲୁରୁ ୧୮।୦୫: କର୍ଣ୍ଣାଟକ ସରକାର ଲକ୍‌ଡାଉନ୍‌ ୪.୦ରେ ବଡ ଧରଣର କୋହଳ କରି ରୋଡ୍‌ଓ୍ଵେଜ୍‌ ଓ ଘରୋଇ ବସ୍‌ ଚଳାଚଳକୁ ଅନୁମତି ଦେଇଛନ୍ତି। କିନ୍ତୁ କଣ୍ଟେନମେଣ୍ଟ ଜୋନ୍‌ରେ କଟକଣା ପୂର୍ବ ଭଳି ଜାରି ରହିବ। ରାଜ୍ୟର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହିଛନ୍ତି, ମହାରାଷ୍ଟ୍ର, ଗୁଜରାଟ, କେରଳ ଓ ତାମିଲନାଡୁର ଲୋକଙ୍କୁ ମେ ୩୧ ପର୍ଯ୍ୟନ୍ତ କର୍ଣ୍ଣାଟକରେ ପ୍ରବେଶ ମନା।

ବସ୍ ଚଳାଚଳକୁ ଅନୁମତି

ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍‌ଡାଉନ୍‌ ୪ରେ ରାଜ୍ୟ ଭିତରେ ରୋଡ୍‌ଓ୍ଵେଜ୍‌ ଓ ଘରୋଇ ବସ୍ ଚଳାଚଳକୁ ଅନୁମତି ଦିଆଯାଇଛି। ବସ୍‌ରେ କେବଳ ୩୦ ଯାତ୍ରୀ ହିଁ ଯାତ୍ରା କରି ପାରିବେ। ମାସ୍କ ଲଗାଇବା ଓ ସାମାଜିକ ଦୂରତା ପାଳନ କରିବା ସମସ୍ତଙ୍କ ପାଇଁ ଜରୁରୀ। ସବୁଠୁ ବଡ କଥା ବସ୍‌ର ଭଡା ବୃଦ୍ଧି ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଟୋ-ଟ୍ୟାକ୍ସିରେ ଯାଇ ପାରିବେ ୩ ଜଣ

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆନ୍ତଃରାଜ୍ୟ ପରିବହନକୁ ଅନୁମତି ଦିଆଯିବ ନାହିଁ। କେବଳ ଜରୁରୀକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ଅନୁମତି ଦିଆଯାଇପାରେ। ଏହି ପରି ଅଟୋ ଓ ଟ୍ୟାକ୍ସି ଚଳାଚଳକୁ ମଧ୍ୟ ଅନୁମତି ଦିଆଯାଇଛି। ମାତ୍ର ଏଥିରେ ଚାଳକଙ୍କୁ ମିଶାଇ ତିନି ଜଣ ହିଁ ଯାତ୍ରା କରି ପାରିବେ। ବଡ କ୍ୟାବ୍‌ରେ ଚାଳକଙ୍କ ସହିତ ଚାରି ଜଣ ଯାଇ ପାରିବେ।

ୟେଦୁରପ୍ପା କହିଛନ୍ତି, କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ନିୟମ କଡାକଡି ରହିବ। ବାକି ଅନ୍ୟ ଅଞ୍ଚଳରେ ଆର୍ଥିକ ଗତିବିଧି ଖୋଲିବାକୁ ଅନୁମତି ଦିଆଯାଇଛି। ହୋମ୍‌ କ୍ଵାରେଣ୍ଟାଇନ୍‌କୁ ଆହୁରି କଡାକଡି କରାଯିବ।

ରାଜ୍ୟ ଭିତରେ ଚାଲିବ  ଟ୍ରେନ୍

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଲକ୍‌ଡାଉନ୍‌ ୪.୦ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରି କହିଛନ୍ତି, ରାଜ୍ୟରେ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ଏହା ବ୍ୟତୀତ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳକୁ ମଧ୍ୟ ଅନୁମତି ଦିଆଯାଇଛି।

ରବିବାର ସଂପୂର୍ଣ୍ଣ ଲକ୍‌ଡାଉନ୍

ମୁଖ୍ୟମନ୍ତ୍ରୀ କହିଛନ୍ତି, ସେଲୁନ ଖୋଲିବାକୁ ଅନୁମତି ଦିଆଯାଇଛି। ପାର୍କ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ସପିଂ ମଲ୍ ଓ ସିନେମା ହଲ୍‌କୁ ଛାଡି ଦେଲେ ବାକି ସବୁ ଦୋକାନ ଖୋଲା ଯାଇ ପାରିବ। ମୁଖ୍ୟମନ୍ତ୍ରୀ  କହିଛନ୍ତି, ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ  ଜାରି ରହିବ ଏବଂ ରବିବାର ସଂପୂର୍ଣ୍ଣ ଲକ୍‌ଡାଉନ୍ ରହିବ।

   Related Posts