ବେଙ୍ଗାଲୁରୁ ୨୩/୧୨ : କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ସମସ୍ତ ରାଜ୍ୟ ସରକାର ଆଲର୍ଟ ମୋଡ୍ରେ ଅଛନ୍ତି। ବୁଧବାର ଦିନ କର୍ଣ୍ଣାଟକ ସରକାର ରାଜ୍ୟରେ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି। ଜାନୁଆରୀ ୨ ତାରିଖ ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ। ରାତି ୧୦ଟା ରୁ ସକାଳ ୬ଟା ଯାଏଁ ଗତିବିଧି ଉପରେ ରୋକ ଲଗାଯାଇଛି। ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ମଧ୍ୟ ଚଳିତ ସପ୍ତାହରେ ନୂଆ ପ୍ରତିବନ୍ଧକ ଜାରି କରିବାକୁ ଘୋଷଣା କରିଥିଲେ। ଭାରତ ସମେତ ୩୦ ଦେଶ ବ୍ରିଟେନରୁ ଆସୁଥିବା ବିମାନ ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି।
ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହିଛନ୍ତି ଯେ, କରୋନା ଭାଇରସର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ଡିସେମ୍ବର ୨୩ ତାରିଖରୁ ଜାନୁଆରୀ ୨ ତାରିଖ ଯାଏଁ ରାତି ୧୦ଟା ରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସମସ୍ତେ ତାଙ୍କୁ ସମର୍ଥନ କରନ୍ତୁ ବୋଲି ସେ ଅପିଲ କରିଛନ୍ତି।
କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ସୁଧାକର କହିଛନ୍ତି ଯେ, ବ୍ରିଟେନରେ ନୂଆ କରୋନା ଭାଇରସ ଷ୍ଟ୍ରେନ ସାମ୍ନାକୁ ଆସିବା ପରେ ଏହିଭଳି ନିଷ୍ପତ୍ତି ନିଆଯାଇଛି। ରାଜ୍ୟକୁ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ ମଧ୍ୟ ନଜର ରଖାଯାଉଛି ବୋଲି ସେ କହିଛନ୍ତି। ତେବେ ଇଣ୍ଟରଷ୍ଟେଟ ଟ୍ରାଭେଲ ଉପରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତାଛଡା ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଜାନୁଆରୀ ୧ ତାରିଖରୁ ସ୍କୁଲ ଖୋଲିବ ବୋଲି ସେ କହିଛନ୍ତି। ଡିସେମ୍ବର ୨୩ ତାରିଖରୁ ଜାନୁଆରୀ ୨ ତାରିଖ ଯାଏଁ ରାତି ୧୦ଟା ପରେ କୌଣସି କାର୍ଯ୍ୟକ୍ରମ ଓ ଉତ୍ସବ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି।
ଦିନେ ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ଯେ ଭାରତରେ ନୂଆ ଷ୍ଟ୍ରେନ ମାମଲା ଗୋଟିଏ ବି ନଜର ଆସିନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାମାରୀ ବିଶେଷଜ୍ଞ ମାରିଆ ବେନଙ୍କ ଅନୁସାରେ ନୂଆ ଷ୍ଟ୍ରେନର ରିପ୍ରଡକ୍ସନ ରେଟ ୧.୧ ରୁ ବଢି ୧.୫ ରେ ପହଞ୍ଚିଛି। ତେବେ ସେ ଭ୍ୟାକସିନ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି ବୋଲି ଆଶଙ୍କା କରିଛନ୍ତି। ତେବେ ସଚେତନ ରହି ଲୋକେ ଏହି ଭାଇରସକୁ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି ସେ କହିଛନ୍ତି।
ଏହି ନୂଆ ମ୍ୟୁଟେଟେଡ଼ ଭାଇରସର ନାଁ ବି ୧୧୭ (B117) । ଏହା ଭାଇରସରେ ଥିବା ପ୍ରୋଟିନ ସ୍ପାଇକ୍ସର ବାରିବର୍ତ୍ତିତ ରୂପ ସହ ସମ୍ବନ୍ଧିତ ଯାହା ନିଜକୁ ମନୁଷ୍ୟ ଶରୀର କୋଷ ସହ ଯୋଡି ଦେଇଥାଏ। ବର୍ମିଂଘମ ବିଶ୍ୱବିଦ୍ୟାଳୟର ପ୍ରଫେସର ଏଲନ ମ୍ୟାକନଲି କହିଛନ୍ତି ଯେ ନୂଆ ପ୍ରକାର ଭାଇରସ ଜୈବିକ ରୂପ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ସେଥିପାଇଁ ତାର ପ୍ରଭାବ ସମ୍ପର୍କରେ କହିବା ଠିକ ହେବନି। କିନ୍ତୁ ବ୍ରିଟେନ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଭାଇରସ ୭୦ ପ୍ରତିଶତ ଅଧିକ ଦ୍ରୁତ ଗତିରେ ବିସ୍ତାର କରୁଛି।