ବେଙ୍ଗାଲୁରୁ: ଚାଲିଛି ଆମ୍ବ ସିଜନ। ଏଥିପାଇଁ ବଜାରରେ ବ୍ୟବସାୟୀମାନେ ବିଭିନ୍ନ ପ୍ରଜାତିର ଆମ୍ଭ ବିକ୍ରି କରିବା ଆମ୍ଭ କରିଦେଲେଣି। ତେବେ ବଜାରକୁ ବର୍ତ୍ତମାନ ନୂଆ ନୂଆ ଆମ୍ବ ଆସୁଥିବାରୁ ଦର ଅଧିକ ରହିଛି। ତେବେ ଖରାଦିନରେ ଚାହିଦା ଦେଖି ସରକାର ବି ଆମ୍ବ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କର୍ଣ୍ଣାଟକ ସରକାର ଅନ୍ଲାଇନ୍ରେ ଆମ୍ବ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି।
ଆଜି ଠାରୁ ସରକାରୀ ପୋର୍ଟାଲ୍ ସାହାଯ୍ୟରେ ଆମ୍ବ ବିକ୍ରି ଆରମ୍ଭ ହୋଇଛି। କର୍ଣ୍ଣାଟକ ଷ୍ଟେଟ୍ ମ୍ୟାଙ୍ଗୋ ଡେଭଲପମେଣ୍ଟ ଆଣ୍ଡ ମାର୍କେଟିଂ କର୍ପୋରେସନ ଲିମିଟେଡ୍(KSMDMCL) ଭାରତୀୟ ଡାକ ସହଯୋଗରେ ଅନ୍ଲାଇନ୍ ଆମ୍ବ ବିକ୍ରି କରିବା ଆରମ୍ଭ କରିଛନ୍ତି। ଏଥିପାଇଁ ସୋମବାର ଠାରୁ www.karsirimangoes.karnataka. gov.in ସାଇଟ୍ରେ ବିଭିନ୍ନ ଫଳର ଅର୍ଡର୍ ନେବା ଆରମ୍ଭ ହୋଇଯାଇଛି।
KSMDMCL ସୂଚନା ଅନୁସାରେ, ଭାରତୀୟ ଡାକ ବିଭାଗ ସହିତ ଭାଗିଦାରିରେ ଏହି ୱେବ୍ସାଇଟ୍ ଲଞ୍ଚ କରାଯାଇଛି। ଏହା ଗ୍ରାହକଙ୍କୁ ଫଳର ହୋମ୍ ଡେଲିଭର କରିବ। ୱେବ୍ସାଇଟ୍ରେ ଫଳର ଫଟୋ ସହିତ ଆମ୍ବ ବିକୁଥିବା କୃଷକର ନାଁ ବି ରହିବ। ସୂଚନା ଥାଉକି, କର୍ଣ୍ଣାଟକରେ ଏଥର ବହୁଳ ଭାବରେ ଆମ୍ବ ଚାଷ ହୋଇଛି। ବେଙ୍ଗାଲୁରୁ ସମେତ ୧୬ ଜିଲ୍ଲାରେ ୧.୬୮ ହେକ୍ଟରେ ଆମ୍ବ ଚାଷ କରାଯାଇଛି।
କେମିତି କାମ କରିବ ଏହି ବ୍ୟବସ୍ଥା ?
ଗ୍ରାହକ ପୋର୍ଟାଲ୍ରେ ଫଳ ଅର୍ଡର କଲେ ବିକ୍ରି କରୁଥିବା କୃଷକଙ୍କ ପାଖକୁ ମେସେଜ୍ ଆସିଯିବ। ମେସେଜ୍ ପାଇବା ପରେ ବିକ୍ରେତା କୃଷକ ଫଳ ପେକ୍ କରି ବେଙ୍ଗାଲୁରୁ ସ୍ଥିତ ଜେନେରାଲ ପୋଷ୍ଟ ଅଫିସ୍(ଜିପିଓ)କୁ ପଠାଇବେ। ଏଇଠୁ ଫଳ ପ୍ୟାକେଜ୍ ଗ୍ରାହକଙ୍କ ପାଖକୁ ପଠାଯିବ।