ସଙ୍କଟରେ କର୍ଣ୍ଣାଟକ ରାଜନୈତିକ, ଇସ୍ତଫା ଦେଇଛନ୍ତି ୧୩ ବିଧାୟକ : ସ୍ଥିତି ପାଇଁ ପରସ୍ପରକୁ ଦାୟୀ କରିଛନ୍ତି ବିଜେପି ଓ କଂଗ୍ରେସ
7/07/2019 at 7:27 PM

କର୍ଣ୍ଣାଟକରେ ରାଜନୈତିକ ସଙ୍କଟ। କଂଗ୍ରେସର ୧୦ ଏବଂ ଜେଡିଏସ୍ ର ୩ ଜଣ ବିଧାୟକ ଇସ୍ତଫା ଦେବା ପରେ ମେଣ୍ଟ ସରକାର ଏବେ ଟଳମଳ ଅବସ୍ଥାରେ । ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବାକୁ ଦଳର ବରିଷ୍ଠ ନେତାମାନେ ଉଦ୍ୟମ ଜାରି ରଖିଛନ୍ତି । ଏହାରି ଭିତରେ ବିଦେଶ ଗସ୍ତରେ ଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ ବେଙ୍ଗାଳୁରୁରେ ପହଞ୍ଚିଛନ୍ତି। ବିଜେପି ଓ କଂଗ୍ରେସ ପରସ୍ପରକୁ ଦାୟୀ କରୁଥିବା ବେଳେ ଆସନ୍ତା ମଙ୍ଗଳବାର ବିଧାନସଭାରେ ସ୍ଥିତି ସ୍ପଷ୍ଟ ହେବ।

ବିଦେଶ ଭ୍ରମଣ କାଣ୍ଟଛାଣ୍ଟ କରି ବେଙ୍ଗଳୁରୁ ଫେରି ଆସିଲେ କୁମାରସ୍ବାମୀ । ଜେଡିଏସ୍ -କଂଗ୍ରେସ ମେଣ୍ଟ ସରକାରରୁ ୧୩ ବିଧାୟକ ଇସ୍ତଫା ଦେବା ପରେ କର୍ଣ୍ଣାଟକ ରାଜନୀତିରେ ସଙ୍କଟ ଘନେଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଆମେରିକାରେ ଏବଂ କର୍ଣ୍ଣାଟକ କଂଗ୍ରେସ ସଭାପତି ଦିନେଶ କୁଣ୍ଡୁ ରାଓ ବ୍ରିଟେନ ଗସ୍ତରେ ଥିବା ବେଳେ ରାଜ୍ୟ ରାଜନୀତିରେ ଏପରି ବିପଦ ଆସିଛି ।

ଏପଟେ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ବେଙ୍ଗାଲୁରୁରେ ଜୋରଦାର କସରତ ଚାଲିଛି। କଂଗ୍ରେସର ସଙ୍କଟମୋଚକ ଡି.କେ ଶିବକୁମାର ପୂ୍ର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡଙ୍କୁ ଭେଟି ଆଲୋଚନା କରିଛନ୍ତି। ସେହିଭଳି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କର୍ଣ୍ଣାଟକ କଂଗ୍ରେସ ପ୍ରଭାରୀ କେସି ବେଣୁଗୋପାଳ ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ବିଦେଶ ଗସ୍ତରୁ ଆସି ବେଙ୍ଗାଳୁରୁରେ ପହଞ୍ଚିବା ପରେ ସ୍ଥିତି ପରଖିବା ପାଇଁ ଜେଡିଏସ୍ ବିଧାୟକଙ୍କ ବୈଠକ ଡାକିଥିଲେ । ବର୍ତ୍ତମାନ ପାଇଁ ସରକାର ସୁରକ୍ଷିତ ରହିଛି ଅସନ୍ତୁଷ୍ଟ ବିଧାୟକମାନେ ପୁଣି ଫେରି ଆସିବେ ବୋଲି କୁମାର ସ୍ବାମୀ ବିଶ୍ବାସ ରଖିଛନ୍ତି।

ଶନିବାର କଂଗ୍ରେସର ୧୦ ଏବଂ ଜେଡିଏସ୍ ର ୩ ଜଣ ବିଦ୍ରୋହୀ ବିଧାୟକ ଇସ୍ତଫା ଦେବା ପରେ ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାର ଟଳମଳ ଅବସ୍ଥାରେ। ଇସ୍ତଫା ଦେଇଥିବା ୧୩ ଜଣ ବିଧାୟକଙ୍କ ମଧ୍ୟରୁ ୧୦ ଜଣଙ୍କୁ ଚାଟେର୍ଡ ବିମାନରେ ମୁମ୍ବାଇ ନିଆଯାଇ ଏକ ହୋଟେଲରେ ରଖାଯାଇଛି । ସେଠାରେ ବିଦ୍ରୋହୀ ବିଧାୟକଙ୍କୁ ଘର ବାହୁଡା ପାଇଁ ଦଳ ମୁଖିଆମାନେ କଳବଳ ଲଗାଇଛି ।ସ୍ଥିତି ପାଇଁ ବିଜେପି ଓ କଂଗ୍ରେସ ପରସ୍ପରକୁ ଦାୟୀ କରିଛନ୍ତି। ସରକାର ପ୍ରତି କୌଣସି ବିପଦ ନଥିବା କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମାୟା କହିଛନ୍ତି । ଏପଟେ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ।

୧୩ ବିଧାୟକଙ୍କ ଇସ୍ତଫା ପରେ ଏବେ ମେଣ୍ଟ ସରକାର ଟଳମଳ ଅବସ୍ଥାରେ। ତେବେ ବାଚସ୍ପତି ସୋମବାର ଯାଏ ଛୁଟିରେ ଅଛନ୍ତି, ତେଣୁ ମଙ୍ଗଳବାର ବିଧାନସଭା ସେସନ୍ରେ ଚିତ୍ର ସ୍ପଷ୍ଟ ହେବ କର୍ଣ୍ଣାଟକ ନାଟକରେ ପରବର୍ତ୍ତୀ ସିନ୍ କଣ ଅଛି।