ଯେଉଁ ଜିଲ୍ଲାରେ କୋଭିଡ୍-୧୯ର କେସ୍ ନାହିଁ, ସେହି ଜିଲ୍ଲାରୁ ଲକ୍ଡାଉନ୍ ହଟାଯାଉ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ
8/04/2020 at 6:24 PM

ବେଙ୍ଗାଲୁରୁ ୦୮।୦୪: କରୋନା ଭାଇରସର ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଜାରି ରହିଛି। ଏହାର ଅବଧି ଏପ୍ରିଲ୧୪ରେ ଶେଷ ହେବାକୁ ଯାଉଛି। ଲକ୍ଡାଉନ୍ ହଟିବ ନା ଜାରି ରହିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। କେତେକ ରାଜ୍ୟ ସରକାର ଲକ୍ଡାଉନ୍ ଜାରି ରଖିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ଏହା ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ଭିନ୍ନ ମତ ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ବୁଧବାର କହିଛନ୍ତି ଯେ, ତାଙ୍କ ସରକାର ରାଜ୍ୟର ସେହି ଜିଲ୍ଲାଗୁଡିକରେ ଲକ୍ଡାଉନ୍ ହଟାଇବା ପକ୍ଷରେ ଅଛନ୍ତି, ଯେଉଁଠି କୋଭିଡ୍-୧୯ର କୌଣସି ମାମଲା ସାମ୍ନାକୁ ଆସିନି। ସେ କହିଛନ୍ତି ଯେ ଏହା କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଉପରେ ନିର୍ଭର କରେ। ୟେଦୁରପ୍ପା କହିଛନ୍ତି ତାଙ୍କ ସରକାର ରାଜ୍ୟର ରାଜସ୍ଵ ବୃଦ୍ଧି ପାଇଁ ଏପ୍ରିଲ ୧୪ ପରେ ମଦ ବିକ୍ରି ଉପରେ କୋହଳ ଦେବାକୁ ଚାହୁଁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଲାଗୁ ୨୧ ଦିନିଆ ଲକ୍ଡାଉନ୍ ସମୟରେ ମଦ ଦୋକାନ ମଧ୍ୟ ବନ୍ଦ ରହିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବିଧାୟକଙ୍କ ବେତନରେ ୩୦ ପ୍ରତିଶତ ହ୍ରାସ ହେବ। ଅଧିକାରୀଙ୍କ ଅନୁଯାୟୀ ରାଜ୍ୟର ୩୦ ଜିଲ୍ଲାରୁ ୧୨ଟି ଜିଲ୍ଲାରେ କୋଭିଡ୍-୧୯ର ଗୋଟିଏ ହେଲେ କେସ୍ ନାହିଁ। ଯଦି ପ୍ରଧାନମନ୍ତ୍ରୀ ରାଜ୍ୟର ସ୍ଥିତିକୁ ଦେଖି ନିର୍ଣ୍ଣୟ ନେବାକୁ କୁହନ୍ତି ତେବେ ମୋର ନିଷ୍ପତ୍ତି ଅନୁଯାୟୀ ଏହି ସବୁ ଜିଲ୍ଲାରୁ ଲକ୍ଡାଉନ୍ ହଟିବ।
ସେ କହିଛନ୍ତି ଯେ, ଏଥିରେ ଲୋକଙ୍କୁ ନିଜର କାମ କରିବା ଓ ଜିଲ୍ଲା ଭିତରେ ଯାତାୟାତ ପାଇଁ ଅନୁମତି ମିଳିବ ମାତ୍ର ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବାକୁ ଅନୁମତି ମିଳିବ ନାହିଁ। ମାତ୍ର ଏମିତି ଏପ୍ରିଲ ୧୪ ପରେ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ ମିଳିବା ପରେ ହିଁ କରାଯିବ।
ରାଜ୍ୟରେ ବୁଧବାର ସୁଦ୍ଧା କରୋନା ଭାଇରସ୍ର ୧୮୧ ମାମଲା ସାମ୍ନାକୁ ଆସିଛି। କୋଭିଡ୍-୧୯ରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।