କର୍ଣ୍ଣାଟକ ସଙ୍କଟ ଜାରି : ଆଜି ବହୁମତ ପ୍ରମାଣ ଦେବେ ଏଚ୍‌ ଡି କୁମାରସ୍ବାମୀ

Published By : Prameya-News7 Bureau | July 19, 2019 IST

ବେଙ୍ଗାଲୁରୁ ୧୯|୭: ଆଜି  ସାଢେ ଗୋଟାଏ ସୁଦ୍ଧା ବହୁମତ ପ୍ରମାଣ ଦେବେ ଏଚ୍ ଡି କୁମାରସ୍ବାମୀ । କର୍ଣ୍ଣାଟକ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟପାଳଙ୍କ ଅଫିସରୁ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ନିକଟକୁ ପଠାଯାଇଛି । ଗତକାଲି କର୍ଣ୍ଣାଟକ ନାଟକ ଶେଷ ହୋଇପାରିନଥିଲା  । ଆଜି ସାଢ଼େ ୧୧ଟା ପର୍ଯ୍ୟନ୍ତ ବିଧାନସଭାର କାର୍ଯ୍ୟକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଫଳରେ ଗତକାଲି ଆସ୍ଥା ଭୋଟ୍ ହୋଇ ପାରିନଥିଲା ।  ଗୁରୁବାର  ଆସ୍ଥା ଭୋଟ୍ ସାରିବାକୁ ବାଚସ୍ପତିଙ୍କୁ ରାଜ୍ୟପାଳ କହିଥିଲେ ମଧ୍ୟ ଏହାକୁ ଗ୍ରହଣ ନକରି ଆଜି ସକାଳ ୧୧ ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି ବାଚସ୍ପତି କେ.ଆର. ରମେଶ କୁମାର । ଫଳରେ ବିଜେପି ନେତା ୟେଦ୍ୟୁରପ୍ପା ଗୃହରେ ରାତିସାରା ଧାରଣା ଦେଇଥିଲେ । ଏପରିକି ସମସ୍ତ ବିଜେପି ବିଧାୟକ ମଧ୍ୟ ଗୃହରେ ଧାରଣା ଦେଇଛନ୍ତି ।

କର୍ଣ୍ଣାଟକ ରାଜନୀତିରେ ବେଶ୍ କିଛି ଦିନ ଧରି ଚାଲିଥିବା ନାଟକର ଗତକାଲି ଅନ୍ତ ହେବ ବୋଲି ଆଶା କରାଯାଉଥିଲା । ଗୃହରେ ଆସ୍ଥା ଭୋଟ୍ ଲୋଡ଼ିଥିଲେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ । ଜେଡିଏସ୍ - କଂଗ୍ରେସ ମେଣ୍ଟ ସରକାର ଆସ୍ଥା ଭୋଟ୍ ଜିତିବ କି ହାରିବ ସେନେଇ ଲାଗି ରହିଥିଲା ସସପେନ୍ସ । ଗୃହରେ ଏନେଇ ଚାଲିଥିଲା ସରଗରମ ବିତର୍କ । ଏପରିକି କଂଗ୍ରେସ ବିଧାୟକଙ୍କୁ ମୁମ୍ବାଇରେ ପଣବନ୍ଦୀ କରାଯାଇଛି ବୋଲି କଂଗ୍ରେସ ଓ ଜେଡିଏସ ଅଭିଯୋଗ କରିଥିଲେ ।

ଏଥିସହ ଇସ୍ତଫା ଦେଇଥିବା ବିଧାୟକଙ୍କ ଉପରେ ହ୍ବିପ୍ ଜାରି ହେବ କି ନାହିଁ ସେନେଇ ମଧ୍ୟ ଲାଗି ରହିଥିଲା ଛକାପଞ୍ଝା । କଂଗ୍ରେସର ୧୩ ଏବଂ ଜେଡିଏସ୍ ର ୩ ବିଧାୟକ ଇସ୍ତଫା ଦେବା ପରେ କୁମାରସ୍ବାମୀଙ୍କ ୧୩ ମାସର ସରକାର ସଙ୍କଟରେ ପଡିଥିଲା । ମେଣ୍ଟ ସରକାରର ୧୧୭ ବିଧାୟକ ସଂଖ୍ୟା ୧୦୧କୁ ଖସି ଯାଇଥିଲା । ବିଜେପି ପାଖରେ ରହିଥିଲା ୧୦୫ ବିଧାୟକଙ୍କ ସମର୍ଥନ । ଗତକାଲି ବିତର୍କ ବେଳେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ କହିଥିଲେ ସରକାର ବିରୋଧରେ ଅପପ୍ରଚାର କରାଯାଉଛି ।

କଂଗ୍ରେସ ନେତା ଡି.କେ. ଶିବକୁମାର କହିଛନ୍ତି ବିଜେପିର ବ.ଏସ୍. ୟେଦୁରପ୍ପା ସାରା ଦେଶ ଏବଂ କୋର୍ଟଙ୍କୁ ବିଭ୍ରାନ୍ତ କରୁଛନ୍ତି । ସେପଟେ ଇସ୍ତଫା ଦେଇଥିବା କୌଣସି ବିଦ୍ରୋହୀ ବିଧାୟକଙ୍କୁ ଆସ୍ଥାଭୋଟରେ ଭାଗ ନେବା ଲାଗି ଚାପ ପକା ଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।ଗତକାଲି  ୧୩ କଂଗ୍ରେସ ବିଧାୟକଙ୍କ ସହ ଆଉ ୨ ଜଣ ବିଧାୟକ ଅନୁପସ୍ଥିତ ଥିବା ଦେଖାଯାଇଥିଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.