ୟେସ୍ ବ୍ୟାଙ୍କ୍‌ର ଅବସ୍ଥା ଦେଖି କର୍ଣ୍ଣାଟକ ବ୍ୟାଙ୍କ୍ ଗ୍ରାହକ ଛାନିଆ, କିନ୍ତୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ କହିଲେ ନାହିଁ ସଙ୍କଟ

Published By : Prameya-News7 Bureau | March 12, 2020 IST

ନୂଆଦିଲ୍ଲୀ ୧।୩: ପିଏମସି ବ୍ୟାଙ୍କ୍ ପରେ ୟେସ୍ ବ୍ୟାଙ୍କ୍ ମଧ୍ୟ ବୁଡିଯିବା କାରଣରୁ ଅଡୁଆରେ ପଡିଛନ୍ତି ଜମାକାରୀ । ଏଭଳି ପରିସ୍ଥିତି ମଧ୍ୟରେ କର୍ଣ୍ଣାଟକ ବ୍ୟାଙ୍କ୍ ସଙ୍କଟରେ ପଡିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ତେବେ ବୁଧବାର ବିଳମ୍ବିତ ରାତିରେ ମାଙ୍ଗାଲୁରୁରେ ଥିବା ବ୍ୟାଙ୍କ୍ ମୁଖ୍ୟାଳୟରୁ ଏକ ବିବୃତ୍ତି ଜାରି କରି ଗ୍ରାହକଙ୍କୁ କୌଣସି ସଙ୍କଟ ନାହିଁ ଏବଂ ସେମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ନିଶ୍ଚିତ କରିବାକୁ ଚେଷ୍ଟା କରାଯାଇଛି ।

କର୍ଣ୍ଣାଟକ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ମହାବଲେଶ୍ବର ଏମଏସ କହିଛନ୍ତି ଯେ, ବ୍ୟାଙ୍କର ଏକ ପୁଞ୍ଜି ଭିତ୍ତିଭୂମି ମଜବୁତ ରହିଛି ଏବଂ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ପୁଞ୍ଜି ମଧ୍ୟ ରହିଛି। ସିଇଓ କହିଛନ୍ତି ଯେ, ବ୍ୟାଙ୍କର ଆଭ୍ୟନ୍ତରୀଣ ନୀତି ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ବାରା ଧାର୍ଯ୍ୟ କରାଯାଇଥିବା ସୀମାଠାରୁ ଆମେ CRAR ବଜାୟ ରଖିଛୁ।

ସେ କହିଛନ୍ତି, ଅଡିଟ୍ ହୋଇଥିବା ବାଲାନ୍ସ ସିଟ୍ ଅନୁଯାୟୀ, ୩୧ ମାର୍ଚ୍ଚ ୨୦୧୯ସୁଦ୍ଧା CRAR ୧୩.୧୭ ପ୍ରତିଶତ ଥିଲା । ଯାହାକି ନିୟାମକ ଦ୍ବାରା ସ୍ଥିର କରାଯାଇଥିବା ସୀମାଠାରୁ ବହୁତ ଅଧିକ ରହିଛି | ସେ କହିଛନ୍ତି ଯେ, ୯୬ ବର୍ଷରୁ ଅଧିକ ସମୟ ଧରି ପରିଚାଳନା କରୁଥିବା ଏହି ବ୍ୟାଙ୍କ ସମଗ୍ର ଦେଶରେ ୧.୧ କୋଟିରୁ ଅଧିକ ସନ୍ତୁଷ୍ଟ ଗ୍ରାହକଙ୍କ ବିଶ୍ବାସ ଉପରେ ନିର୍ମିତ ହୋଇଛି। ବ୍ୟାଙ୍କର ପର୍ଯ୍ୟାପ୍ତ ପୁଞ୍ଜି, ମଜବୁତ ମୂଳଦୁଆ ଏବଂ ବୃତ୍ତିଗତ ଭାବରେ ସଠିକ୍ ଭାବେ ପରିଚାଳିତ ହେଉଛି |

ମହାବାଲେଶ୍ବର ଗ୍ରାହକମାନଙ୍କୁ କହିଛନ୍ତି ଯେ, ଟେଲିଭିଜନ କିମ୍ବା ସୋସିଆଲ ମିଡିଆରେ ବ୍ୟାଙ୍କ ବିଷୟରେ ବିଭ୍ରାନ୍ତିକର ଖବର ଦ୍ବାରା ଭ୍ରମିତ ହୁଅନ୍ତୁନାହିଁ । ସମଗ୍ର ବିଶ୍ବରେ ବ୍ୟାଙ୍କଗୁଡିକର ସ୍ଥିତି CRAR ଦ୍ବାରା ନିର୍ଣ୍ଣୟ କରାଯାଇଥାଏ ଏବଂ ଜମା ଅନୁପାତର ଏମ-କ୍ୟାପ୍ ଦ୍ବାରା ନୁହେଁ |

ୟେସ୍ ବ୍ୟାଙ୍କ ବୁଡିଯିବା କାରଣରୁ ସନ୍ଦେହର ପ୍ରଭାବ କେବଳ କର୍ଣ୍ଣାଟକ ବ୍ୟାଙ୍କର ଗ୍ରାହକଙ୍କ ଉପରେ ଦେଖାଯାଇଛି ତାହା ନୁହେଁ । କୋଟାକ୍ ମହିନ୍ଦ୍ରା କହିଛି ଯେ, ଏହା ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ଏବଂ ନିବେଶକଙ୍କ ଟଙ୍କା ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ । ସେହିଭଳି ଆରବିଏଲ ବ୍ୟାଙ୍କ ଏବଂ କରୁର ବୈଶ୍ୟ ବ୍ୟାଙ୍କର ପ୍ରବନ୍ଧକ ମଧ୍ୟ ବୁଧବାର ଦିନ ଏକ ବିବୃତ୍ତି ଜାରି କରି ଗ୍ରାହକଙ୍କୁ କୌଣସି ବିଭ୍ରାନ୍ତିକର ଖବରକୁ ବିଶ୍ବାସ ନକରିବାକୁ ଅପିଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.