ସେଲ୍‌ଫି ରେଷ୍ଟ୍ରିକସନ୍ : କର୍ଣ୍ଣାଟକ ସରକାରଙ୍କ କଟକଣା, ହୋମ୍‌ କ୍ୱାରେଣ୍ଟାଇନରେ ଥିବା ଲୋକ ଘଣ୍ଟାକୁ ଥରେ ପଠାଇବେ ସେଲ୍‌ଫି

Published By : Prameya-News7 Bureau | April 01, 2020 IST

ବେଙ୍ଗାଲୁରୁ ୦୧।୦୪: କର୍ଣ୍ଣାଟକରେ ହୋମ୍‌ କ୍ୱାରେଣ୍ଟାଇନରେ ଥିବା ଲୋକେ ହୋମ କ୍ୱାରେଣ୍ଟାଇନର ନିୟମ ନ ମାନି ବାହାରେ ବୁଲୁଥିବା କାରଣରୁ ରାଜ୍ୟ ସରକାର ଏନେଇ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ହୋମ୍‌ କ୍ୱାରେଣ୍ଟାଇନରେ ଥିବା ସମସ୍ତ ଲୋକ ଘଣ୍ଟାକୁ ଥରେ ନିଜର ସେଲ୍‌ଫି ଉଠାଇ ସରକାରଙ୍କ ନିକଟକୁ ପଠାଇବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଜାରି ହୋଇଛି । ଏହି ନିୟମ ଉଲ୍ଲଙ୍ଘନ କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯିବ । ସେଲ୍ଫି ପଠାଇବା ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ମୋବାଇଲ ଆପ୍ଲିକେସନ ମଧ୍ୟ ଜାରି କରାଯାଇଛି ।

ହୋମ୍‌ କ୍ୱାରେଣ୍ଟାଇନରେ ଥିବା ଲୋକମାନଙ୍କୁ ପ୍ଲେ ଷ୍ଟୋରରୁ ଏହି ଆପ୍‌ ଡାଉନଲୋଡ କରି ଏହା ଯୋଗେ ସେଲ୍‌ଫି ପଠାଇବାକୁ ହେବ । ତେବେ ରାତି ୧୦ରୁ ସକାଳ ୭ ପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ ହେବନି । କ୍ୱାରେଣ୍ଟାଇନରେ ଥିବା ଲୋକମାନେ ପଠାଇଥିବା ଫଟୋଗୁଡିକୁ ତଦାରଖ କରିବା ପାଇଁ ରାଜ୍ୟ ସରକାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରିଛନ୍ତି । ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକରେ ମୋଟ ୪୩,୦୦୦ ଲୋକଙ୍କୁ ହୋମ୍‌ କ୍ୱାରେଣ୍ଟାଇନରେ ରଖାଯାଇଥିବା ବେଳେ ୩୦,୦୦୦ ଲୋକ ୧୪ ଦିନିଆ କ୍ୱାରେଣ୍ଟାଇନ ଅବଧି ପୂରଣ କରିସାରିଲେଣି । ୧୪୨ ଜଣ ଲୋକ ହୋମ୍‌ କ୍ୱାରେଣ୍ଟାଇନ ନିୟମ ପାଳନ ନ କରି ବାହାରେ ବୁଲୁଥିବା ଜାଣିବା ପରେ ସରକାରୀ ଟିମ୍‌ ସେମାନଙ୍କୁ ବଳପୂର୍ବକ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ରବିବାର ୨୨ ଜଣ ଲୋକ ହୋମ୍‌ କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଥିବା ବେଳେ ସୋମାବାର ୧୦ ଜଣ ଲୋକ ହୋମ୍‌ କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା । ପରେ ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ର ଭର୍ତ୍ତି କରାଯିବା ସହ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା । ଆଗକୁ ଏଭଳି ଘଟଣାକୁ ଏଡାଇବା ନିମନ୍ତେ ସରକାର ବାଧ୍ୟ ହୋଇ ଏଭଳି ନିୟମ ଲାଗୁ କରିଥିବା ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକରେ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି । ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.