ହରିୟାଣାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ହଙ୍ଗାମା : ନୂଆ କୃଷି ଆଇନକୁ ନେଇ ତାତିଲେ ଚାଷୀ, ହେଲିପ୍ୟାଡ୍ରୁ ଫେରିଗଲେ ମନୋହର ଲାଲ୍ ଖଟ୍ଟର
10/01/2021 at 5:01 PM

ଚଣ୍ଡୀଗଡ ୧୦/୦୧ : ହରିୟାଣାର କରନାଲରେ ଚାଷୀମାନେ ହଙ୍ଗାମା କରିଛନ୍ତି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କିଷାନ ମହାପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଏହି ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ଆଖିଆଗରେ ରଖି ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ହେଲିପ୍ୟାଡ୍ରୁ ହିଁ କାର୍ଯ୍ୟକ୍ରମ ବାତିଲ କରି ଫେରିଆସିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ।
ଏହି କାର୍ଯ୍ୟକ୍ରମରେ ନୂଆ କୃଷି ଆଇନର ଫାଇଦା ବିଷୟରେ ଜନସାଧାରଣଙ୍କୁ ଜଣାଇବାକୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ତେବେ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ସ୍ଥାନରେ ପ୍ରବଳ ଉତ୍ତେଜନା ଦେଖାଦେବାରୁ ବାଧ୍ୟ ହୋଇ ଲୁହା ବୁହା ଗ୍ୟାସ ପ୍ରଯୋଗ କରିଥିଲା ପୋଲିସ । ଉକ୍ତ କାର୍ଯ୍ୟକ୍ରମ ସ୍ଥଳରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପହଞ୍ଚିବା ପୂର୍ବରୁ ହିଁ ଚାଷୀମାନେ ଅସ୍ଥାୟୀ ହେଲିପ୍ୟାଡ୍ର ବ୍ୟାରିକେଡ୍କୁ ଭାଙ୍ଗି ହଙ୍ଗାମା କରିଥିଲେ ।
ବିଜେପି ନେତା ରମଣ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ, ବିକେୟୁ ନେତା ଗୁରନାମ ସିଂହ ଚାଷୀମାନଙ୍କୁ ଉତ୍ତେଜନା ଘଟାଇବାକୁ ଉସକାଇଥିଲେ । ଏହା ପରେ ଚାଷୀମାନେ ଘଟଣାସ୍ଥଳରେ ହଙ୍ଗାମା କରିବାକୁ ବାଧ୍ୟ ହୋଇ କାର୍ଯ୍ୟକ୍ରମକୁ ବାତିଲ କକରାଯାଇଥିଲା । ଭାରତୀୟ କିଷାନ ୟୁନିୟନର ତତ୍ବାବଧାନରେ ଚାଷୀମାନେ ‘କିଷାନ ମହାପଞ୍ଚାୟତ’ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଚେତାବନୀ ଦେଇଥିଲେ । ଏହା ସହ ଚାଷୀମାନେ ନୂଆ କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ ।
କଂଗ୍ରେସ ନେତା ରଣଦୀପ ସିଂହ ସୁରଜେଓ୍ବାଲା, ଚାଷୀଙ୍କ ପ୍ରତି ହରିୟାଣା ପୋଲିସର କ୍ରୁରତାକୁ ଦୃଢ ନିନ୍ଦା କରିଛନ୍ତି । ସେ କହିଛନ୍ତି ଚାଷୀମାନଙ୍କ ଉପରେ ପୋଲିସର ଲୁହବୁହା ଗ୍ୟାସ ପ୍ରୟୋଗ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ମଧ୍ୟ ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, ‘ହରିୟାଣାର କରନାଲରେ ଚାଷୀ ଆନ୍ଦୋଳନ ସମର୍ଥନର ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ପୋଲିସର ବଳ ପ୍ରୟୋଗ ଅତ୍ୟନ୍ତ ନିନ୍ଦନୀୟ । ପୂର୍ବରୁ ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବାକୁ ଯାଉଥିବା ରାଜସ୍ଥାନର ଚାଷୀମାନଙ୍କ ଉପରେ ମଧ୍ୟ ହରିୟାଣା ପୋଲିସ ପଳ ପ୍ରୟୋଗ କରିଥିଲା’ । ତେବେ ତୁରନ୍ତ କେନ୍ଦ୍ର ସରକାର ଚାଷୀମାନଙ୍କ ଦାବି ପୂରଣ କରିବା ଆବଶ୍ୟକ ବୋଲି ଅଶୋକ ଗେହେଲଟ୍ କହିଛନ୍ତି ।