ରାଜନୈତିକ ଗୋଟି ଚଳାଇଲେ ତେଜସ୍ଵୀ, ଆରଜେଡିରେ ସାମିଲ ହେଲେ ତେଜପ୍ରତାପଙ୍କ ଶାଳି

Published By : Prameya-News7 Bureau | July 02, 2020 IST

ପାଟନା ୦୨।୦୭: ବିହାର ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ଦାୟିତ୍ଵ ସମ୍ଭାଳିଥିବା ତେଜସ୍ଵୀ ଯାଦବ ସାରଣରେ ବଡ ରାଜନୈତିକ ଗୋଟି ଚଳାଇଛନ୍ତି। ତେଜସ୍ଵୀ ଯାଦବ ପାର୍ଟିର ଅସନ୍ତୁଷ୍ଟ ନେତା ତଥା ଭାଇ ତେଜପ୍ରତାପ ଯାଦବଙ୍କ ଶ୍ଵଶ୍ଵର ଚନ୍ଦ୍ରିକା ରାୟଙ୍କୁ ଶାନ୍ତ କରିବା ପାଇଁ କରିସ୍ମା ରାୟଙ୍କୁ ପାର୍ଟିରେ ସାମିଲ କରାଇଛନ୍ତି। କରିସ୍ମା ତେଜପ୍ରତାପଙ୍କ ସଂପର୍କୀୟ ଶାଳୀ ଅଟନ୍ତି ଏବଂ ଚନ୍ଦ୍ରିକା ରାୟଙ୍କ ଭାଣିଜୀ ଅଟନ୍ତି। ପେଶାରେ ଡାକ୍ତର କରିସ୍ମା ଗୁରୁବାର ପାର୍ଟି ସଭାପତି ତେଜସ୍ଵୀଙ୍କ ଉପସ୍ଥିତିରେ ଆରଜେଡିରେ ସାମିଲ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ପରସାରୁ  ବିଧାୟକ ଚନ୍ଦ୍ରିକା ରାୟ ନିଜର ଝିଅ ଐଶ୍ଵର୍ଯ୍ୟାଙ୍କ ଛାଡପତ୍ର ମାମଲା ପରଠୁ ଲାଲୁ ଯାଦବଙ୍କ ପରିବାର ବିରୋଧୀ ଆଭିମୁଖେ ଆପଣେଇଛନ୍ତି। ବିହାର ରାଜନୀତି ବିଶେଷଜ୍ଞଙ୍କ ଅନୁଯାୟୀ ଆରଜେଡି ଏହି ନିଷ୍ପତ୍ତି ଚନ୍ଦ୍ରିକା ରାୟଙ୍କ ମୁକାବିଲା କରିବା ପାଇଁ ନେଇଛି। ତେଜପ୍ରତାପ ଓ ଐଶ୍ଵର୍ଯ୍ୟାଙ୍କ ମଧ୍ୟରେ ଛାଡପତ୍ର ମାମଲା ପରଠୁ ଦୁଇ ପରିବାର ମଧ୍ୟରେ ସଂପର୍କ ଠିକ୍ ନାହିଁ ଓ ଏହାର ପ୍ରଭାବ ରାଜନୀତିରେ ମଧ୍ୟ ଦେଖିବାକୁ ମିଳିଛି।

କରିସ୍ମା ଆରଜେଡିରେ ସାମିଲ୍ ହେବା ଅବସରରେ ପାର୍ଟିର ଅନେକ ନେତା ଉପସ୍ଥିତ ଥିଲେ। ପାର୍ଟିରେ ସାମିଲ ହେବା ସମୟରେ କରିସ୍ମା କହିଛନ୍ତି, ମୁଁ ପାର୍ଟିର ସାମାଜିକ ଓ ନ୍ୟାୟିକ ଆଦର୍ଶକୁ ବଜାୟ ରଖି ପାର୍ଟି ପାଇଁ କାମ କରିବି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାୟଙ୍କ ନାତୁଣୀ କରିସ୍ମାଙ୍କ ଆରଜେଡିରେ ସାମିଲ୍ ହେବା ବିଧାନସଭା ନିର୍ବାଚନ ପୂର୍ବରୁ ପରିବାର ମଧ୍ୟରେ ଥିବା ମତଭେଦକୁ ଦୂର କରିବା ଉଦ୍ୟମ ରୂପେ ଦେଖାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.