ଆହତ ଥାଇ ବି ୧୭ ଶତ୍ରୁ ସୈନିକଙ୍କୁ ମାରି ହେଲେ ସହିଦ, ବର୍ତ୍ତମାନ ପରିବାରକୁ ମିଳୁନି ପେନସନ
26/07/2020 at 9:55 PM

ହରଦୋଇ ୨୬।୦୭: ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାର ପାଲି ଟାଉନ୍ରେ ଏକ ଗରିବ ପରିବାରରେ ଜନ୍ମିତ ଆବିଦ ଖାନ କାରଗିକ ଯୁଦ୍ଧ ସମୟରେ ୧୭ ପାକିସ୍ତାନ ସୈନିକଙ୍କୁ ମାରିବା ପରେ ସହିଦ ହୋଇଥିଲେ। ଦୁର୍ଭାଗ୍ୟର କଥା ଯେଉଁ ସୈନିକ ନିଜ ଦେଶ ପାଇଁ ନିଜ ପ୍ରାଣ ବଳିଦାନ ଦେଲେ, ତାଙ୍କ ପତ୍ନୀ ଓ ମାତା-ପିତାଙ୍କୁ ମିଳୁଥିବା ପେନସନ ୧୧ ମାସ ହେଲା ମିଳିନାହିଁ।
ପାଲିର କାଜିସରାୟ ବାସିନ୍ଦା ଗଫାର ଖାନ ଓ ନତଥନ ବେଗମଙ୍କ ସବୁଠୁ ବଡ ପୁଅ ଆବିଦର ଜନ୍ମ ୧୯୭୨ରେ ହୋଇଥିଲା। ଗରିବିରେ ବଢିଥିବା ଆବିଦ ହାଇସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୧୯୮୮ ମାର୍ଚ୍ଚ ୫ରେ ସେନାରେ ଭର୍ତ୍ତି ହୋଇଥିଲେ। ଆବିଦଙ୍କୁ ତାଙ୍କର ସାହସିକତା କାର୍ଯ୍ୟ ଦେଖି ୧୯୯୫ରେ ସେନାର ପଦକ ଦେଇ ସମ୍ମାନିତ କରାଯାଇଥିଲା। ୧୯୯୫ରେ ଆବିଦଙ୍କ ଫିରଦୋସଙ୍କ ସହ ବିବାହ ହୋଇଥିଲା।
ଆହତ ଥାଇ ବି ମାରିଲେ ୧୭ ପାକ୍ ସୈନିକ
କାରଗିଲ ଯୁଦ୍ଧ ସମୟରେ ୧୯୯୯ ଜୁଲାଇ ୧ରେ ଶତ୍ରୁର ମୁକାବିଲା ବେଳେ ଆବିଦଙ୍କ ପେଟରେ ଗୋଟିଏ ଗୁଳି ବାଜିଥିଲା। ତଥାପି ଏହାକୁ ଭ୍ରୁକ୍ଷେପ ନକରି ସେ ନିଜର ରାଇଫଲରେ ଶତ୍ରୁର ୧୭ ସୈନିକକୁ ନିପାତ କରିଥିଲେ। ଏହି ସମୟରେ ଗୋଟିଏ ଗୁଳି ଆବିଦଙ୍କ ବେକରେ ବାଜିଥିଲା ଏବଂ ସେ ବୀରଗତି ପ୍ରାପ୍ତ କରିଥିଲେ।
୧୧ ମାସ ହେଲା ମିଳିନି ପେନସନ
ସହିଦଙ୍କ ପତ୍ନୀ କହିଛନ୍ତି ତାଙ୍କୁ ପ୍ରତି ମାସରେ ୭୫୦୦ ଟଙ୍କା ଏବଂ ଶାଶୁ-ଶ୍ଵଶ୍ଵୁରଙ୍କୁ ମାସିକ ୫ ହଜାର ଟଙ୍କା ଭତ୍ତା ମିଳୁଥିଲା। ମାତ୍ର ଗତ ୧୧ ମାସ ହେବ ସେମାନଙ୍କୁ ଭର୍ତ୍ତା ମିଳିନାହିଁ। ସହିଦ ଆବିଦଙ୍କ ନାମରେ ଓ୍ଵାର୍ଡ ଓ ଗାଁ ବିଦ୍ୟାଳୟର ନାମ ସହିଦ ଆବିଦ ଖାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମିତ କରାଯାଇଛି। ବର୍ତ୍ତମାନ ଆବିଦ ନଗର ଓ୍ଵାର୍ଡର ଓ୍ଵାର୍ଡମେମ୍ବର ତାଙ୍କ ଭାଇ ନାସିର ଅଛନ୍ତି। ଯେଉଁ ବିଦ୍ୟାଳୟର ନାମ ସହିଦଙ୍କ ନାମରେ ରଖାଯାଇଥିାଲ ସେହି ବିଦ୍ୟାଳୟର ମୁଖ୍ୟ ଦ୍ଵାରରେ ଲେଖା ହୋଇଥିବା ସହିଦଙ୍କ ନାମକୁ ଏବେ କାଳି ବୋଳି ଲୁଚାଇ ଦିଆଯାଇଛି।
ଶିଳାନ୍ୟାସ୍ ପଥରରେ ବି ନାହିଁ ସହିଦଙ୍କ ନାମ
ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ପାଇଁ ବିଦ୍ୟାଳୟର ବାଉଣ୍ଡ୍ରି ନିର୍ମାଣ ସରାୟପୁର ବିଧାୟକ ମାଧବେନ୍ଦ୍ର ପ୍ରତାପ ସିଂହ ରାନୁଙ୍କ ବିଧାୟକ ପାଣ୍ଠିରୁ ଅର୍ଥ ଆସିଥିଲା। ମାତ୍ର ଶିଳାନ୍ୟାସ୍ରେ ଯେଉଁ ପଥର ଲଗାଗଲା ସେଥିରେ ବି ସହିଦ ନାମ ଗାଏବ କରି ଦିଆଗଲା।