ପୂଜାରୀ ହତ୍ୟାକାଣ୍ଡ: ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ସରକାରୀ ଚାକିରୀ ଦାବି କଲେ ଗ୍ରାମବାସୀ, ଦାବି ପୂରଣ ନ ହେବା ଯାଏଁ ହେବନି ଅନ୍ତିମ ସଂସ୍କାର

Published By : Prameya-News7 Bureau | October 10, 2020 IST

କରୌଲି ୧୦/୧୦ : ରାଜସ୍ଥାନ କରୌଲି ଜିଲ୍ଲା ସପୋଟରାରେ ଜଣେ ପୂଜାରୀଙ୍କୁ ଜିଅନ୍ତା ନିଆଁ ଲଗାଇ ହତ୍ୟା କରିଥିବା ମାମଲା ସରଗରମ ହେବାକୁ ଲାଗିଛି। ଗ୍ରାମବାସୀ ମୃତକ ପୂଜାରୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା, ସରକାରୀ ଚାକିରୀ, ସୁରକ୍ଷା ଏବଂ ଅପରାଧୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏହାସହ ପୀଡିତ ପରିବାରକୁ ନ୍ୟାୟ ନ ମିଳିବା ଯାଏଁ ପୂଜାରୀଙ୍କ ଅନ୍ତିମ ସଂସ୍କାର ନ କରିବାକୁ ଗ୍ରାମବାସୀ ଜିଦ ଧରି ବସିଛନ୍ତି।

{"id":341607,"sizeSlug":"large"}

ସୂଚନା ଅନୁଯାୟୀ, ରାଜ୍ୟସଭା ସାଂସଦ ଡ.କିରୋଡୀ ଲାଲ ମିଣା ମଧ୍ୟ ପୀଡିତଙ୍କ ଗାଁ ବୁକନାରେ ପହଞ୍ଚିଛନ୍ତି। ସେ ପୀଡିତ ପରିବାରକୁ ସାକ୍ଷାତ କରି ସାନ୍ତ୍ୱନା ଦେଇଛନ୍ତି। ସେ ପୋଲିସ ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ କରିବେ। ସାଂସଦ ପୀଡିତ ପରିବାରକୁ ଆର୍ଥିକ ସହାୟତା ଓ ନ୍ୟାୟ ଦେବାକୁ ଦାବି କରିଛନ୍ତି। ସାଂସଦ କଡା ଭାଷାରେ ଘଟଣାକୁ ନିନ୍ଦା କରିଛନ୍ତି | ସାଂସଦଙ୍କ ସହ ଗାଙ୍ଗପୁରର ପୂର୍ବତନ ବିଧାୟକ ମାନସିଂହ ମଧ୍ୟ ବୁକନା ଗାଁରେ ପହଞ୍ଚିଛନ୍ତି। ସେ ପୀଡିତ ପରିବାର ସହ ମିଶି ନ୍ୟାୟ ଦାବି କରିଛନ୍ତି। ସାଂସଦ ଡ.କିରୋଡୀ ଲାଲ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁକନା ଆସି ପୀଡିତ ପରିବାରକୁ ସାକ୍ଷାତ କରିବା ଉଚିତ।

{"id":341606,"sizeSlug":"large"}

ସାଂସଦ ଡ.କିରୋଡୀ ଲାଲ କହିଛନ୍ତି ପୀଡିତ ପରିବାରକୁ ନ୍ୟାୟ ନ ମିଳିବା ଯାଏଁ ସେ ଗାଁରେ ରହିବେ। ସେ ସବୁ ପରିସ୍ଥିତିରେ ପରିବାର ସହ ଛିଡା ହେବେ ବୋଲି କହିଛନ୍ତି। ସୂଚନା ଅନୁଯାୟୀ, ସେ ନିଜେ ପୀଡିତ ପରିବାରକୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି। କିନ୍ତୁ ସରକାର ଠାରୁ ସହାୟତା ନ ମିଳିବା ଜଣେ ସେ ସେଠାରେ ରହିବେ ବୋଲି କହିଛନ୍ତି। ସରକାରଙ୍କ ସହ ସେ ଜିଲ୍ଲା ପୋଲିସ ଓ ପ୍ରଶାସନକୁ ମଧ୍ୟ ଚେତାବନୀ ଦେଇଛନ୍ତି।

{"id":341608,"sizeSlug":"large"}

ସୂଚନାଯୋଗ୍ୟ ଯେ, ସପୋଟରା ଥାନା ଅନ୍ତର୍ଗତ ବୁକନା ଗାଁରେ ରାଧାକୃଷ୍ଣ ମନ୍ଦିର ପୂଜାରୀ ବାବୁଲା ବୈଷ୍ଣବଙ୍କୁ ଜୟପୁର ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଜମି ହଡପ କରିବା ମାମଲାରେ କିଛି ଲୋକ ତାଙ୍କ ସହ ବିବାଦ କରିଥିଲେ ଓ ପରେ ତାଙ୍କ ଉପରେ ପେଟ୍ରୋଲ ଢାଳି ତାଙ୍କୁ ଜୀବନ୍ତ ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ଲୋକେ ଘଟଣାକୁ ନେଇ କଡା ନିନ୍ଦା କରିବା ସହ ତୀକ୍ଷ୍ଣ ପ୍ରତିକ୍ରିୟା ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.