Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଥର ମାଫିଆଙ୍କ ମାଡ଼ରେ ପୋଲିସ ଗୁରୁତର, ପରିବାରର ୩ଜଣ ଗିରଫ, ୨ ଫେରାର

13/05/2019 at 7:14 PM

ଉଦଳା ୧୩।୫ :  ପୋଲିସକୁ ପଥର ମାଫିଆଙ୍କ ମରଣାନ୍ତକ ଆକ୍ରମଣ । ଗୁରୁତର  ଅବସ୍ଥାରେ କପ୍ତିପଦା ଥାନା ଏଏସ୍ଆଇ ଶୁଭେନ୍ଦୁ ବେହେରାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି  କରାଯାଇଛି । କପ୍ତିପଦା ଥାନା ଡାହିସାହି ଗାଁର ପଥର ମାଫିଆ ବସନ୍ତକୁମାର ବେହେରା ଓ ତାଙ୍କ ଭାଇ ହେମନ୍ତ କୁମାର ବେହେରା କିଛି ଦିନ ତଳେ ଟ୍ରାକ୍ଟରରେ ପଥର ଚୋରା ଚାଲାଣ କରୁଥିଲେ। ସ୍ଥାନୀୟ ଆରଆଇ ସେମାନଙ୍କ ଟ୍ରାକ୍ଟରକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ  ସେମାନେ ଆରଆଇଙ୍କୁ ଆକ୍ରମଣ କରି ଗାଡ଼ି ଖସାଇନେଇଥିଲେ ।

ଏ ନେଇ  ତହସିଲଦାରଙ୍କ ଲିଖିତ ଅଭିଯୋଗ ପରେ କପ୍ତିପଦା ପୋଲିସ ଆଜି ଦୁଇ ଭାଇଙ୍କୁ ଗିରଫ କରିବାକୁ ସେମାନଙ୍କ ଘରକୁ ଯାଇଥିଲା । ତେବେ ପୂରା ପରିବାର ପୋଲିସ ଉପରେ ଆକ୍ରମଣ କରିଛନ୍ତି। ଫଳରେ ଏଏସ୍ଆଇ ବେହେରା ଗୁରୁତର ଆହତ ହୋଇଛନ୍ତି ।  ଲହୁଲୁହାଣ ଅବସ୍ଥାରେ ତାଙ୍କୁ ପ୍ରଥମେ କପ୍ତିପଦା ହସ୍ପିଟାଲ ଓ ପରେ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଏହି ଘଟଣାରେ ପୋଲିସ  ହେମନ୍ତ ବେହେରା, ତାଙ୍କ ପତ୍ନୀ ଜୟନ୍ତୀ ବେହେରା ଏବଂ ବସନ୍ତ ବେହେରାଙ୍କ ପତ୍ନୀ ଲକି ବେହେରାଙ୍କୁ ଗିରଫ କରିଥିବା ବେଳେ  ବସନ୍ତ ବେହେରା ଓ ତାଙ୍କ ବାପା କିଶୋର ଚନ୍ଦ୍ର ବେହେରା ଫେରାର ହୋଇଯାଇଛନ୍ତି । ପୋଲିସ ଏକ ମୋକଦ୍ଦମା ରୁଜୁ କରି ୨ ଫେରାର ଅଭିଯୁକ୍ତଙ୍କ ତଲାସ ଜାରି ରଖିଛି ।  

   Related Posts