ଶ୍ରାଦ୍ଧଭୋଜି ପରେ ଗୃହକର୍ତ୍ତା ବାହାରିଲେ କରୋନା ପଜିଟିଭ୍ : ୧୬ବନ୍ଧୁବାନ୍ଧବ ସଂକ୍ରମିତ, ପୁରା ସାହି ହଟ୍ସ୍ପଟ୍
9/08/2020 at 9:53 AM

ଭୁବନେଶ୍ୱର ୦୯।୦୮: କରୋନା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପ୍ରତିଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହିପରି କପିଳେଶ୍ୱର କଞ୍ଚ ସାହିରେ ସଂକ୍ରମଣ ସୁଅ ଭଳି ମାଡିଛି । ଏହି ଅଞ୍ଚଳ ପ୍ରଥମ ଥର ପାଇଁ ହଟସ୍ପଟ୍ ପାଲଟିଛି । ଏକ ଶ୍ରାଦ୍ଧବାର୍ଷିକୀ ଆୟୋଜନରୁ ସଂକ୍ରମଣ ବ୍ୟାପିଥିବା ବିଏମ୍ସି କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡିଛି । ଏଥିରେ ଯୋଗ ଦେଇଥିବା ଏକାଧିକ ସଂକ୍ରମିତ ବାହାରିଛନ୍ତି ।
କଞ୍ଚ ସାହିରେ ପ୍ରଥମ ଆକ୍ରାନ୍ତ ଜଣକ ଜଣେ ଗ୍ୟାରେଜ୍ ମାଲିକ । ଗୁରୁବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଏହା ପୂର୍ବରୁ ଗତ ୨୮ ତାରିଖରେ ତାଙ୍କ ବାପାଙ୍କର ଶ୍ରାଦ୍ଧ ଥିଲା । ଶ୍ରାଦ୍ଧବାର୍ଷିକୀ ପାଇଁ ଭୋଜି ହୋଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ସାମିଲ ହୋଇଥିଲେ । ଆଖପାଖ ପଡୋଶୀଙ୍କ ସମେତ ବନ୍ଧୁବାନ୍ଧବ ଆସିଥିଲେ । ଭୋଜି ଯିବାର କିଛି ଦିନ ପରେ ତାଙ୍କୁ ଥଣ୍ଡା ଓ ଜ୍ୱର ହୋଇଥିଲା । ସେ ନିଜର ପରୀକ୍ଷା କରାଇବାକୁ କରୋନା ପଜିଟିଭ୍ ଆସିଥିଲା । ଗତ ଶୁକ୍ରବାର ଦିନ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ତେବେ ଏହା ପରେ ଭୋଜିକୁ ଯାଇ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ପରୀକ୍ଷା କରାଯାଇଥିଲା । ଏଥିରୁ ଶନିବାର ଆସିଥିବା ରିପୋର୍ଟରେ ୧୬ଜଣ ପଜିଟିଭ୍ ବାହାରିଛନ୍ତି । କପିଳେଶ୍ୱରର ଆଉ କିଛି ସ୍ଥାନରୁ ୫ଜଣ ସ୍ଥାନୀୟ ସଂକ୍ରମିତ ବାହାରିଛନ୍ତି ।
୨୧ ସଂକ୍ରମିତଙ୍କ ଭିତରେ ୧୪ଜଣ ପୁରୁଷ ଓ ୭ଜଣ ମହିଳା ଅଛନ୍ତି । ଏଥିରୁ ୧୨ଜଣଙ୍କ ବୟସ ୪୦ବର୍ଷରୁ କମ୍ । ଅଧିକାଂଶଙ୍କ ଲକ୍ଷଣ ନଥିବାରୁ ହୋମ୍ ଆଇସୋଲେସନ୍ରେ ରହିବାକୁ ବିଏମ୍ସି ପକ୍ଷରୁ କୁହାଯାଇଛି । ବମିଖାଲ ଗାୟତ୍ରୀ ଏନ୍କ୍ଲେଭ୍ରୁ ୬ଜଣ ଆକ୍ରାନ୍ତ ବାହାରିଛନ୍ତି । ସମସ୍ତେ ଗୋଟିଏ ଫ୍ଲାଟ୍ରେ ରହୁଥିଲେ ଓ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ପୂର୍ବରୁ ଆକ୍ରାନ୍ତ ହୋଇଥିବା ପରିବାରର ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସି ସମସ୍ତେ ସଂକ୍ରମିତ ହୋଇଛନ୍ତି ।