ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ, ପାଣିରେ ଉବୁଟୁବୁ ପ୍ରସିଦ୍ଧ ଶୈବ ପୀଠ କପିଳାଶ ଓ ଦୌଡେଶ୍ବର ମହାଦେବ

Published By : Prameya-News7 Bureau | September 14, 2021 IST

ଢେଙ୍କାନାଳ ୧୪।୯: ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ଅବସ୍ଥା ସଙ୍ଗୀନ ହୋଇପଡିଛି। କେଉଁଠି ପାଚେରୀ ଭାଙ୍ଗି ପଡିଲାଣି ତ ଆଉ କେଉଁଠି ଗାଁ ଭିତରେ ପାଣି ପଶିଲାଣି । ଏପରିସ୍ଥଳେ ଖୋଦ୍ ଦେବାଦେବୀଙ୍କ ସ୍ଥିତି ଜଟିଳ ହୋଇପଡିଛି ।

ବିଶେଷକରି ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳର କପିଳାଶ ପୀଠର ଅବସ୍ଥା ବେହାଲ ହୋଇପଡିଛି । ପୀଠର ଉପରିଭାଗରୁ ବର୍ଷା ପାଣି ମାଡ଼ି ଆସି ମନ୍ଦିର ବେଢା ଜଳମଗ୍ନ ହୋଇଯାଇଛି । ପାହାଚ ରାସ୍ତା ଓ ବାରବାଙ୍କ ରାସ୍ତାରେ ମାଡିଚାଲିଛି ବର୍ଷା ପାଣିର ସୁଅ । ଫଳରେ ଠାକୁରଙ୍କର ନୀତିକାନ୍ତି ବାଧାପ୍ରାପ୍ତ ହୋଇଛି ।  ପାହାଡ଼ ଉପରେ ଥିବା ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ମନ୍ଦିର ପ୍ରାଙ୍ଗଣକୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ସେପଟେ କରମୂଳ ସ୍ଥିତ ବ୍ରାହ୍ମଣୀ କୂଳରେ ଅବସ୍ଥିତ ଦୌଡେଶ୍ବର ମହାଦେବଙ୍କ ଅନୁରୂପ ସ୍ଥିତି ହୋଇଛି । ବ୍ରହ୍ମଣୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଗର୍ଭଗୃହ ପାଣିରେ ବୁଡିରହିଛି । ଫଳରେ ଏଠାରେ ମଧ୍ୟ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.