୯ ମାସ ପରେ ଖୋଲିଲା ମନ୍ଦିର, କୋଭିଡ଼ କଟକଣା ମାନିବାକୁ ନିର୍ଦ୍ଦେଶ
4/01/2021 at 3:04 PM

ଢେଙ୍କାନାଳ ୦୪।୦୧ : ମହାମାରୀ କରୋନା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସୃଷ୍ଟି କରିଥିଲା ପ୍ରତିବନ୍ଧକ । ଆଉ ଦୀର୍ଘ ୯ମାସ ଧରି ପ୍ରଭୁଙ୍କୁ ସିଧାସଳଖ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇଉଠିଥିଲା ଭକ୍ତ । ଏପରିସ୍ଥଳେ ରାଜ୍ୟରେ ଧର୍ମାନୁଷ୍ଠାନ ଗୁଡିକରେ କଟକଣା କୋହଳ ପରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ କପିଳାଶ ସାଧାରଣ ଦର୍ଶନ ପାଇଁ ଖୋଲିଛି । ଯାହାଫଳରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ଦର୍ଶନ ପାଇଁ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ଏଥିପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ କପିଳାଶ ସମେତ ଜିଲ୍ଲାର ବଳରାମ ମନ୍ଦିର ଆଦି ପ୍ରମୁଖ ସାତୋଟି ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲା ରହିବ । ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ କେବଳ ଢେଙ୍କାନାଳ ଜିଲ୍ଲାର ଲୋକମାନଙ୍କ ଦର୍ଶନ ମଧ୍ୟରେ ସୀମିତ ରହିଛି । ୧୬ତାରିଖ ଠାରୁ ସର୍ବସାଧାରଣଙ୍କ ପାଇଁ ସୁଯୋଗ ରହିବ । ଏଥିପାଇଁ ପ୍ରଶାସନର ସ୍ୱତନ୍ତ୍ର କଟକଣା ମଧ୍ୟ ଜାରି କରାଯାଇଛି । ତେବେ କପିଳାଶ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ କୋଭିଡ ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ରିପୋର୍ଟ ଯାଞ୍ଚ କରାଯାଇଛି । ଥର୍ମାଲ ସ୍କାନିଂ ଠାରୁ ଆରମ୍ଭ କରି ମାସ୍କ ଓ ସାମାଜିକ ଦୂରତା ମଧ୍ୟରେ ମନ୍ଦିର ଭିତରକୁ ଜଣ ଜଣ କରି ଛଡ଼ାଯାଉଛି ।କୌଣସି ଭୋଗ ଓ ଫୁଲ ଆଦିକୁ ବାରଣ କରାଯାଇଛି । କେବଳ ଦର୍ଶନ ମଧ୍ୟରେ ସୀମିତ ରହିଛି ।
ପୂର୍ବରୁ ଗତ କାଲି ଠାରୁ କପିଳାଶ ପୀଠର ସମସ୍ତ ସେବାୟତ ମାନଙ୍କର କୋଭିଡ ଟେଷ୍ଟ କରାଯାଇଛି । କଟକଣା ମଧ୍ୟରେ କିପରି ସୁରକ୍ଷିତ ଅବସ୍ଥାରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବେ ସେଥି ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ତତ୍ପର ପ୍ରକାଶ ପାଇଛି । ଅପରପକ୍ଷରେ ଦୀର୍ଘ ୯ମାସ ହେଲା ମନ୍ଦିର ବନ୍ଦ ଯୋଗୁଁ ବିଭିନ୍ନ ସମସ୍ୟାରେ ରହିଥିବା ସେବାୟତ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି । ମନ୍ଦିର ଖୋଲିବା ଖବର ପାଇ ଜିଲ୍ଲା ବାହାରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ । କିନ୍ତୁ ଜିଲ୍ଲା ବାହାର ଲୋକଙ୍କୁ ମନ୍ଦିର ଦର୍ଶନ ମନା ତଥା କୋଭିଡ ରିପୋର୍ଟ ବାଧ୍ୟତାମୂଳକ ହୋଇଥିବାରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଫେରିଯାଇଛନ୍ତି ।