ନୂଆଦିଲ୍ଲୀ,୧୬ ।୦୯: ପଦ୍ମ ବିଭୂଷଣରେ ସମ୍ମାନିତ ଦେଶର ପ୍ରସିଦ୍ଧ ଶିକ୍ଷାବିତ୍ ଏବଂ ରାଜ୍ୟସଭାର ପୂର୍ବତନ ମନୋନୀତ ସଦସ୍ୟା ଡକ୍ଟର କପିଳା ବାତ୍ସାୟନ ବୁଧବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଦିଲ୍ଲୀସ୍ଥିତ ଗୁଲମୋହର ଏନକ୍ଲେଭରେ ଥିବା ନିଜ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।
କପିଳା ବାତ୍ସାୟନଙ୍କ ନିଦ୍ଧନରେ କଳା ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ହିନ୍ଦୀର ଯଶସ୍ୱୀ ସାହିତ୍ୟିକ ସ୍ୱର୍ଗତଃ ସଚ୍ଚିଦାନନ୍ଦ ହୀରାନନ୍ଦ ବାତ୍ସାୟନଙ୍କ ପତ୍ନୀ ଥିଲେ । ତେବେ ସେ ପତିଙ୍କ ଠାରୁ ଅଲଗା ହେବା ପରେ ଏକାକି ଜୀବନ ଅତିବାହିତ କରୁଥିଲେ ।
୧୯୨୮ ଡିସେମ୍ବର ୨୫ରେ ଜନ୍ମଲାଭ କରିଥିବା କପିଳା ବାତ୍ସାୟନ ଜାତୀୟ ଆନ୍ଦୋଳନର ପ୍ରସିଦ୍ଧ ଲେଖିକା ସତ୍ୟାବତୀ ମଲିକଙ୍କ ଝିଅ ଥିଲେ । ସେ ସଙ୍ଗୀତ ସହ ନୃତ୍ୟ ଓ କଳାରେ ପାରଙ୍ଗମ ଥିଲେ । ସେ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ଓ ଆମେରିକାର ମିଶିଗାନ ବିଶ୍ୱ ବିଦ୍ୟାଳୟରୁ ଶିକ୍ଷାଲାଭ କରିଥିଲେ ।
ତାଙ୍କୁ ୨୦୦୬ରେ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରାଯାଇଥିଲା । କିନ୍ତୁ ବିବାଦ ହେବା ପରେ ସେ ନିଜ ସଦସ୍ୟତା ତ୍ୟାଗ କରିଥିଲେ ।