୨କୋଟି ଟଙ୍କା ଲାଞ୍ଚ ମନ୍ତବ୍ୟ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିଃସର୍ତ୍ତକ୍ଷମା ମାଗିଲେ ବିଜେପି ନେତା କପିଲ ମିଶ୍ର

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ ୨୯।୧୦:  ବିଜେପି ନେତା କପିଲ ମିଶ୍ର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଗୁରୁବାର ନିସର୍ତ୍ତ କ୍ଷମାଯାଚନା କରିଛନ୍ତି। ୨ କୋଟି ଟଙ୍କା ଲାଞ୍ଚ ମାମଲାରେ କପିଲ ମିଶ୍ର ଦେଇଥିବା ମନ୍ତବ୍ୟ ଲାଗି ଏହି କ୍ଷମାଯାଚନା କରିଛନ୍ତି। ପ୍ରସଙ୍ଗରେ ମିଶ୍ର ଦେଇଥିବା ମନ୍ତବ୍ୟ ଲାଗି ସତ୍ୟେନ୍ଦ୍ର ଜୈନ ୨୦୧୭ ମସିହାରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ।

ଜୈନ୍‌ଙ୍କ ଠାରୁ ମୁଖ୍ୟମନ୍ତ୍ରୀ କେଜରୀୱାଲ ନଗଦ ୨ କୋଟି ଟଙ୍କା ଲାଞ୍ଚ ନେଇଥିବାର ମାନହାନିକର ଅଭିଯୋଗ ଆଣିଥିଲେ କପିଲ ମିଶ୍ର। ତେବେ କପିଲ ମିଶ୍ର କୋର୍ଟରେ ତାଙ୍କ ଅଭିଯୋଗ ପ୍ରମାଣିତ କରି ପାରିନଥିବା ବେଳେ ଅଭିଯୁକ୍ତ ଯଦି ନ୍ୟାୟାଳୟରେ ନିଃସର୍ତ୍ତ କ୍ଷମାଯାଚନା କରିବେ ତେବେ ଜୈନ୍‌ ତାଙ୍କ ମାମଲା ପ୍ରତ୍ୟାହାର କରିବେ ବୋଲି କହିଥିଲେ। ସେହି ଅନୁସାରେ କପିଲ ମିଶ୍ର କୋର୍ଟରେ ନିସର୍ତ୍ତ କ୍ଷମାଯାଚନା କରିବା ପୂର୍ବରୁ ଏଥିଲାଗି ସାର୍ବଜନିକ କ୍ଷମା ନିବେଦନ କରିଛନ୍ତି।

ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯିବା ଯୋଗୁ ଆମ ଆଦମୀ ପାର୍ଟି (ଆପ୍) ସଂଯୋଜକଙ୍କ ବିରୋଧରେ ସେ ଏପରି ଅଭିଯୋଗ ଆଣିଥିଲେ ବୋଲି କୁହାଯାଉଛି। ତେବେ ସତ୍ୟେନ୍ଦ୍ର ଜୈନ୍ ମୁଖ୍ୟମନ୍ତ୍ରୀଙ୍କୁ ନଗଦ ୨ କୋଟି ଟଙ୍କା ଦେବା ବେଳେ ସେ ଦେଖିଥିଲେ। ଏ ନେଇ ମିଶ୍ର କେଜରୀୱାଲଙ୍କୁ ପଚାରିବାରୁ ରାଜନୀତିରେ ଏପରି ହୁଏ ବୋଲି ସେ କହିଥିଲେ। ସେତେବେଳେ କେଜରୀୱାଲଙ୍କ ଉପରୁ ତାଙ୍କର ଭରସା ଉଠିଯାଇଥିଲା ବୋଲି କପିଲ ମିଶ୍ର କହିଥିଲେ। ଏଣୁ ପରେ ସେ ଆମଆଦମୀ ପାର୍ଟି ଛାଡିଦେଇଥିବାର କହିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କୋର୍ଟ ଏକ ମାନହାନୀ ମୋକଦ୍ଦମାରେ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀ ୱାଲଙ୍କ ବିରୋଧରେ ବିଜେପି ସାଂସଦ ରମେଶ ବିଧୁରୀ ୨୦୧୬ ମସିହାରେ ଏହି ମୋକଦ୍ଦମା ରୁଜୁ କରିଥିବା ବେଳେ କୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦକ୍ଷିଣ ଦିଲ୍ଲୀ ସାଂସଦଙ୍କ ମାନହାନୀ କରିଥିବା ପ୍ରମାଣିତ ହୋଇପାରିନାହିଁ। ଏଣୁ କେଜରୀୱାଲଙ୍କୁ କୋର୍ଟ ନିର୍ଦୋଷରେ ମୁକ୍ତ କରିଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.