ରିଷଭ ପନ୍ତଙ୍କୁ ଦଳକୁ ଫେରିବାର ମନ୍ତ୍ର ଦେଲେ କପିଲ ଦେବ

Published By : Prameya-News7 Bureau | January 26, 2020 IST

ନୂଆଦିଲ୍ଲୀ ୨୬।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍ ଖେଳାଯାଉଛି । ଅକଲାଣ୍ଡରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚ୍ ରେ ଭାରତର ଦମଦାର ବିଜୟ ହୋଇଥିଲା । ଆଜି ଦ୍ବିତୀୟ ମ୍ୟାଚ୍ ଖେଳାଯାଉଛି । ସିରିଜରେ ଖେଳାଯାଇଥିବା ମ୍ୟାଚ୍ ରେ ଏପର୍ଯ୍ୟନ୍ତ ରିଷଭ ପନ୍ତଙ୍କୁ ସ୍ଥାନ ମିଳିନାହିଁ । ତାଙ୍କ ସ୍ଥାନରେ ଓ୍ବିକେଟ୍ ରକ୍ଷକ ଭାବେ କେ.ଏଲ ରାହୁଲଙ୍କୁ ସ୍ଥାନ ମିଳିଛି । କେ.ଏଲ୍ ରାହୁଲ ବ୍ୟାଟିଂ ସହ ଓ୍ବିକେଟ୍ ରକ୍ଷକର ଭୂମିକା ବେଶ୍ ଭଲଭାବେ ତୁଲାଉଛନ୍ତି । ଏମିତିରେ ରିଷଭ ପନ୍ତଙ୍କ ଖେଳିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ରିଷଭ ପନ୍ତ ଦଳକୁ ପୁଣି ଫେରିବା ନେଇ ଭାରତର ପୂର୍ବତନ କ୍ରିକେଟର କପିଲ ଦେବ କହିଛନ୍ତି ଯେ, ରିଷଭ ପନ୍ତଙ୍କ ଭଳି ପ୍ରତିଭାଶାଳୀ ଖେଳାଳି ନିଜେ ହିଁ ନିଜର ବିରୋଧୀମାନଙ୍କୁ ଭୁଲ୍ ପ୍ରମାଣିତ କରିବାକୁ ପଡିବ । ରିଷଭ ପନ୍ତ ଭଲ ପ୍ରଦର୍ଶନ ସହ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ମାତ୍ର ପରବର୍ତ୍ତୀ ମ୍ୟାଚ୍ ଗୁଡିକରେ ସେ ଓ୍ବିକେଟ୍ ରକ୍ଷକ ସହ ବ୍ୟାଟିଂରେ ମଧ୍ୟ ବିଫଳ ସାବ୍ୟସ୍ତ ହେଲେ ।

କପିଲ ଆହୁରି ମଧ୍ୟ କହିଛନ୍ତି ଯେ, ରିଷଭ ପନ୍ତ ବହୁ ପ୍ରତିଭାଶାଳୀ । ତାଙ୍କର ଖରାପ ପ୍ରଦର୍ଶନ ପାଇଁ ସେ କାହାକୁ ବି ଦୋଷ ଦେଇପାରିବେ ନାହିଁ । ତାଙ୍କ କ୍ୟାରିୟରକୁ ସେ ନିଜେ ହିଁ ସଜାଡିପାରିବେ । ନିଜକୁ ପ୍ରମାଣିତ କରିବାକୁ ହେଲେ ତାଙ୍କ ପାଖରେ ଗୋଟିଏ ହିଁ ରାସ୍ତା ଅଛି ଯେ, ସେ ଭଲ ବ୍ୟାଟିଂ ପ୍ରଦର୍ଶନ କରି ରନ୍ ସଂଗ୍ରହ କରନ୍ତୁ । ଭଲ ରନ୍ ସଂଗ୍ରହ କରି ସେ ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କରନ୍ତୁ ବୋଲି କପିଲ କହିଛନ୍ତି । ଯଦି ଆପଣ ପ୍ରତିଭାଶାଳୀ ତେବେ ଲୋକଙ୍କୁ ଭୁଲ୍ ପ୍ରମାଣିତ କରିବା ଆପଣଙ୍କ କାମ ।

କପିଲ ଦେବ କହିଛନ୍ତି ଯେ, ଖେଳାଳିମାନଙ୍କୁ ନିଜର ଆକଳନ ନିଜେ କରିବା ଉଚିତ୍ । ସେମାନେ ଚୟନକର୍ତ୍ତାଙ୍କୁ ଟିମ୍ ରୁ ବାହାର କରିବା ଏବଂ ଆରାମ ଦେବାର କୌଣସି ମୌକା କେବେ ଦେବା ଅନୁଚିତ୍ ।

ସୂଚନାଯୋଗ୍ୟ ଯେ, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ଏବେ ଚେନ୍ନାଇରେ ଅଛନ୍ତି । ଇଂଲଣ୍ଡରେ ୧୯୮୩ ବିଶ୍ବକପ୍ ରେ ଭାରତର ଐତିହାସିକ ବିଜୟ ଉପରେ ଆଧାରିତ ଆଗାମୀ ଫିଲ୍ମ ‘୮୩’ର ପ୍ରଚାର ପାଇଁ ସେଠାରେ ଅଛନ୍ତି । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ଓ ତୃତୀୟ ଦିନିକିଆ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ରେ କେ.ଏଲ ରାହୁଲଙ୍କୁ ଓ୍ବିକେଟ୍ ରକ୍ଷକ ଦାୟିତ୍ବ ଦିଆଯିବାକୁ ନେଇ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହି ନିଷ୍ପତ୍ତି ନେବା ଟିମ୍ ପ୍ରବନ୍ଧକଙ୍କ କାମ । ମୋତେ ଏସବୁ ଜନିଷ ଜଣାନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.