ନିଜର ପ୍ଲେଇଙ୍ଗ୍ ଇଲେଭେନ୍ ଟିମ୍ ଘୋଷଣା କଲେ କପିଳ ଦେବ: କହିଲେ-ଧୋନିଙ୍କ ଜାଗା କେହି ଛୁଇଁ ପାରିବେନି
24/11/2020 at 1:12 PM

ମୁମ୍ବାଇ ୨୪/୧୧ : କପିଳ ଦେବ ଓ ମହେନ୍ଦ୍ର ସିଂହ ଧୋନି ଏମିତି ଦୁଇ ଭାରତୀୟ କ୍ୟାପଟେନ୍ ଯାହା ପାଇଁ ଭାରତ ଆଇସିସି ବିଶ୍ୱକପ ଟ୍ରଫି ଜିତିଛନ୍ତି। କପିଳ ଦେବ ୧୯୮୩ ମସିହାରେ ଦୁଇଥର ଚମ୍ପିୟାନ ହୋଇଥିବା ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ବିଶ୍ଵବିଜେତା ହୋଇଥିଲେ। ମହେନ୍ଦ୍ର ସିଂହ ଧୋନି ୨୦୦୭ ରେ ଭାରତ ପାଇଁ ପ୍ରଥମଥର ପାଇଁ ଆଇସିସି ଟି-୨୦ ବିଶ୍ୱକପ ଜିତିଥିଲେ। ଏହାପରେ ୨୦୧୧ ତାଙ୍କ କ୍ୟାପିଟେନ୍ସିରେ ଭାରତ ପୁଣିଥରେ ଆଇସିସି ବିଶ୍ୱକପ୍ ଜିତିଥିଲେ।
କଥାରେ ଅଛି ‘ଗୁଣ ଚିହ୍ନିଛି ଗୁଣିଆ, ସୁନା ଚିହ୍ନିଛି ବଣିଆ’। ଠିକ ସେହିଭଳି କପିଳ ଦେବ ଧୋନିଙ୍କ ଟ୍ୟାଲେଣ୍ଟ ଓ ଦକ୍ଷତା ଚିହ୍ନି ପାରିଥିଲେ। ନିକଟରେ ବଲିଉଡ ଅଭିନେତ୍ରୀ ନେହା ଧୂପିଆଙ୍କ ଟକ ଶୋ’ ‘ନୋ ଫିଲ୍ଟର ନେହା’ ରେ କପିଳ ଦେବ ଧୋନିଙ୍କର ଖୁବ ପ୍ରଶଂସା କରିଥିଲେ। ଏହି ଶୋ’ରେ ସେ ନିଜର ପ୍ଲେଇଙ୍ଗ୍ ଇଲେଭେନ୍ ଟିମ୍ ମଧ୍ୟ ଘୋଷଣା କରିଥିଲେ। ନିଜ ଟିମରେ ସେ ଧୋନିଙ୍କୁ ମଧ୍ୟ ସାମିଲ କରିଛନ୍ତି।

ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସିଜନରେ ମହେନ୍ଦ୍ର ସିଂହ ଧୋନି ଓ ଚେନ୍ନାଇ ସୁପରକିଙ୍ଗ୍ସର ଅସଫଳତା ପରେ କେହି ବି ଧୋନିଙ୍କୁ ନିଜର ପ୍ଲେଇଙ୍ଗ ଇଲେଭେନ ଟିମରେ ନେବାକୁ ଇଚ୍ଛୁକ ନୁହନ୍ତି। ଅପରପକ୍ଷରେ କପିଳ ଦେବ କହିଛନ୍ତି ଧୋନିଙ୍କ ଜାଗାକୁ କେବେ କେହି ଛୁଇଁ ବି ପାରିବନି। ନିଜ ପ୍ଲେଇଙ୍ଗ୍ ଇଲେଭେନ୍ ଟିମ୍ ସମ୍ପର୍କରେ କପିଳ ଦେବ କହିଛନ୍ତି, ‘ଟେଷ୍ଟ ମ୍ୟାଚ ଅଲଗା, ଏକା ଦିବସୀୟ ମ୍ୟାଚ ଅଲଗା। ଯଦି ମୁଁ ଏକା ଦିବସୀୟ ଟିମ୍ ବଞ୍ଚିବି ତାହେଲେ ମୋ ଟିମରେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହଵାଗ, ବିରାଟ କୋହଲି, ରାହୁଲ ଦ୍ରାବିଡ଼, ଯୁବରାଜ ସିଂହ ସାମିଲ ହେବେ।’
ଆଗକୁ ସେ କହିଛନ୍ତି, ‘ମୋର ପ୍ଲେଇଙ୍ଗ ଇଲେଭେନ ଟିମରେ ୱିକେଟକିପର କେବଳ ଧୋନି ହିଁ ରହିବେ। ତାଙ୍କ ଜାଗାକୁ ଆଉ କେହି ଛୁଇଁ ବି ପାରିବନି। ଆହୁରି ଜାହିର ଖାନ , ଯଭଗଲ ଶ୍ରୀନାଥ, ଯଶପ୍ରୀତ ବୁମରାହ ଅଛନ୍ତି। ଏମାନେ ବହୁତ ଭଲ ଖେଳାଳି। ଅଲ୍ ଟାଇମ୍ ଗ୍ରେଟ୍ ସ୍ପିନର୍ ଅନିଲ କୁମ୍ବଲେ ଓ ହରଭଜନ ସିଂହ ଅଛନ୍ତି। ମୋ ମନକୁ ପ୍ରଥମେ ଏହି ଖେଳାଳିଙ୍କ ନାଁ ଆସିଥିଲା।
ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଶେଷ ମ୍ୟାଚରେ ଧୋନି ଘୋଷଣା କରିଥିଲେ ଯେ ଆଗାମୀ ଆଇପିଏଲରେ ସେ ପୁଣି ଫେରିବେ। ଆଉ ୫ ମାସ ପରେ ଆଇପିଏଲର ଆଉ ଏକା ସିଜନ ଆରମ୍ଭ ହେବ। ଆଇପିଏଲ ୨୦୨୧ ପୂର୍ବରୁ ମେଗା ଅକ୍ସନ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏଥର ଚେନ୍ନାଇ ସୁପର କିଙ୍ଗସ ଟିମରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।