Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧୋନୀଙ୍କ ଉପରେ କ’ଣ କୁହନ୍ତି କପିଲ୍ ? “….ଅବ ବସ୍ ବହୁତ ହୁଆ….ହମାରା ନୁକସାନ ହୋଗା ”

ମୁମ୍ବାଇ ୨୭/୦୧ – କ୍ରିକେଟ କିମ୍ବଦନ୍ତୀ କପିଲ ଦେବ ଆଉ ପୂର୍ବତନ ୱିକେଟ କିପର -ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭିତରେ ସାମଞ୍ଜସ୍ୟ କ’ଣ  ?  କପିଲ ଦେବ ହେଉଛନ୍ତି ଭାରତ ଲାଗି ପ୍ରଥମ ବିଶ୍ୱକପ୍‌ ଜିତିଥିବା ଅଧିନାୟକ , ଆଉ ଧୋନୀ ବି ବିଶ୍ୱକପ୍‌ ବିଜୟୀ ଅଧିନାୟକ । ଆଉ ଏବେ ଗତ କିଛି ଦିନଧରି ଧୋନୀଙ୍କ ଅବସର ନେଇ ଚର୍ଚ୍ଚା ଜୋରଦାର ଚାଲିଥିବା ବେଳେ ମୁହଁ ଖୋଲିଛନ୍ତି ଭେଟରାନ କପିଲ । ଧୋନୀଙ୍କୁ ପ୍ରଶଂସା କରିବା ବେଳେ କହିଛନ୍ତି ଦେଶ ପାଇଁ ତାଙ୍କ ଅବଦାନ ଆଉ ଚମତ୍କାର କ୍ରିକେଟ୍‌ର କଥା ।

ଏକ  ଇଭେଣ୍ଟରେ ଯୋଗ ଦେବାକୁ ଆସିଥିବା ବେଳେ କପିଲ ଦେବଙ୍କୁ ମହେନ୍ଦ୍ର ସିଂ ଧୋନୀଙ୍କ ସଂପର୍କରେ ପ୍ରଶ୍ନ କରିଥିଲେ ସାମ୍ବାଦିକ । ଧୋନୀଙ୍କ ଅବସର ଚର୍ଚ୍ଚା ବେଳେ, କପିଲଙ୍କ ସେ ସଂପର୍କୀତ ମତାମତ କ’ଣ ବୋଲି ପଚାରିଥିଲେ । କାରଣ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ  ବିରୋଧରେ ସେମିଫାଇନାଲ ମ୍ୟାଚ୍‌ ଖେଳିଥିଲେ ଧୋନୀ । ତାପରଠୁ ସେ ଭାରତୀୟ ଦଳରେ ନାହାନ୍ତି  କିମ୍ବା ଭାରତ ପାଇଁ ମ୍ୟାଚ୍‌ ଖେଳିନାହାନ୍ତି । ଏପରି ସମୟରେ ବିସିସିଆଇ କଣ୍ଟ୍ରାକ୍ଟ ଲିଷ୍ଟରୁ ବି ଧୋନୀଙ୍କ ନାମ ବାଦ୍ ପଡିଛି । ଆଉ ତାହାହିଁ ଧୋନୀଙ୍କ ଅବସର ଚର୍ଚ୍ଚାକୁ ଖୋରାକ ଦେଇଛି । ଏହି ପରିପ୍ରେକ୍ଷୀରେ ଧୋନୀଙ୍କ ଅବସର ଉପରେ  କପିଲଙ୍କ ମତାମତର ଗୁରୁତ୍ୱ ନିଶ୍ଚୟ ରହିଛି ।

ତେବେ କପିଲ କହିଛନ୍ତି, ଧୋନୀ ଅନେକ ବର୍ଷ ଧରି ଦେଶର ଖୁବ୍‌ ସେବା କରିଛନ୍ତି । କ୍ରିକେଟ ଖେଳ ପ୍ରତି ତାଙ୍କର ଅବଦାନ ରହିଛି । ତାଙ୍କୁ ଦିନେ ନା ଦିନେ ଅବସର ନେବାକୁ ହେବ । ଆଜି କିମ୍ବା ତାପରେ , କେଉଁ ଦିନ ବି ସେ ଅବସର ନେବେ ।  ନିଶ୍ଚୟ ସମୟ ଆସିବ ଏବଂ ତାଙ୍କୁ ଅବସର ନେବାକୁ ହେବ । ତେବେ କପିଲ ଆହୁରି କହିଛନ୍ତି, ଧୋନୀ ମ୍ୟାଚ୍‌ ଖେଳୁନାହାନ୍ତି , ତେଣୁ ମୋତେ ଜଣା ନାହିଁ ସେ କେବେ ଆଗକୁ ଆସିବେ ଏବଂ କହିବେ, ବାସ୍‌ ବହୁତ ହୋଇଗଲା । ଅର୍ଥାତ୍ ଅବସର ନେବା କଥା ଘୋଷଣା କରିଦେବେ । ତେବେ ଯାହା ବି ହେଉ ଧୋନୀଙ୍କ ଅବସର , ଆମ ପାଇଁ ନିଶ୍ଚିତ ଭାବେ ଏକ କ୍ଷତି ହେବ , ଏହା କହିଛନ୍ତି କପିଲ ଦେବ ।

ପୂର୍ବ ସିଜିନ ପର୍ଯ୍ୟନ୍ତ ଏ ବର୍ଗରେ ଥିବା ଧୋନୀଙ୍କ ସହ ବିସିସିଆଇ ଚଳିତ ସିଜିନ୍‌ରେ କୌଣସି କଣ୍ଟ୍ରାକ୍ଟ ସାଇନ କରିନାହିଁ । ତେବେ ଏନେଇ କୁଆଡେ ବିସିସିଆଇ ପୂର୍ବରୁ  ଧୋନୀଙ୍କୁ ଅବଗତ କରାଇଥିଲା । ତା ଛଡା ଟି- ଟ୍ୱେଣ୍ଟି ଟିମ୍‌ରେ ବି ଧୋନୀଙ୍କୁ ସାମିଲ କରାଗଲାନି, ଯଦି ତାଙ୍କୁ ସାମିଲ କରାଯାଇଥାନ୍ତା ତେବେ ହୁଏତ ତାଙ୍କୁ ପୁଣି କଣ୍ଟ୍ରାକ୍ଟ ତାଲିକାରେ ସ୍ଥାନ ମିଳିଥାନ୍ତା ।

ଏହି ଅବସରରେ ଭାରତୀୟ ଫାଷ୍ଟ ବୋଲରଙ୍କ ଉପରେ ବି ମତ ରଖିଚନ୍ତି କପିଲ । ସେ କହିଛନ୍ତି, ଭାରତରେ ସ୍ଥିତି ଏବଂ ଜଳବାୟୁ ଅନ୍ୟ କ୍ରିକେଟ ଖେଳୁଥିବା ଦେଶଙ୍କ ଠାରୁ ଭିନ୍ନ । ଯଦି ଟିମ୍‌ ବା ଖେଳାଳି ବର୍ଷକୁ ୧୦ ମାସ ପିଚ୍‌କୁ ଓହ୍ଲାଉଛନ୍ତି, ତେବେ ଆଘାତ ଲାଗିବା ପ୍ରାୟ ନିଶ୍ଚିତ । ତେଣୁ ଫାଷ୍ଟ ବୋଲରଙ୍କ ଉପରେ ଧ୍ୟାନ ରଖିବାକୁ ହେବ । ଟିମ୍‌ ମ୍ୟାନେଜମେଣ୍ଟ ମଧ୍ୟ ସେସବୁ ଦିଗ ପ୍ରତି ଦୃଷ୍ଟି ଦେବା ଜରୁରି ।

   Related Posts