ଡିଏସପିଙ୍କୁ ଏତେ ନୃଶଂସ ଭାବେ କ’ଣ ପାଇଁ ହତ୍ୟା କଲା ବିକାଶ ଦୁବେ ? କିଏ ଥିଲା ପୋଲିସ୍ ବିଭାଗର ବିଭୀଷଣ
7/07/2020 at 6:05 PM

କାନପୁର ୦୭।୦୭: ପୋଲିସ୍ ବିଭାଗରେ ସଂପ୍ରତି ଏହି ଚର୍ଚ୍ଚା ଚାଲିଛି ଯେ, ସର୍କଲ ଅଫିସର ଡିଏସପି ଦେବେନ୍ଦ୍ର ମିଶ୍ରଙ୍କୁ ଏତେ ନୃଶଂସ ଏବଂ ନିର୍ଦ୍ଦୟ ଭାବେ କଣ ପାଇଁ ହତ୍ୟା କରାଗଲା ? କାରଣ କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ନିଜ କ୍ଷେତ୍ରରେ ସବୁଠୁ ଅଧିକ ଭୟ ବିଲହୋର ସିଓ ଦେବେନ୍ଦ୍ର ମିଶ୍ର ପ୍ରତି ଥିଲା। ଦୁବେକୁ ଏହାର ସନ୍ଦେହ ଥିଲା ଯେ, ସିଓ ତାର ଏନକାଉଣ୍ଟର କରି ପାରନ୍ତି। ବିକାଶ ଦୁବେକୁ ସିଓଙ୍କ ପ୍ରତିଟି ଗତିବିଧିର ସୂଚନା ପୋଲିସ୍ ବିଭାଗର ‘ବିଭୀଷଣ’ ପକ୍ଷରୁ ମିଳୁଥିଲା।
ଦୁବେକୁ ପୋଲିସ ବିଭାଗର ବିଭୀଷଣ ଏହା ମଧ୍ୟ ସୂଚନା ଦେଉଥିଲା ଯେ, ସିଓ ତୁମର ଏନକାଉଣ୍ଟର ଯୋଜନା ପ୍ରସ୍ତୁତ କରୁଛନ୍ତି। ଦୁବେ ସହ ବିଭାଗର ଗୁପ୍ତ ସୂଚନା ମଧ୍ୟ ଆଦାନ ପ୍ରଦାନ କରାଯାଉଥିଲା। ଏହି କାରଣରୁ ଯେବେ ପୋଲିସ୍ ଚଢଉ କରିବାକୁ ଯାଉଥିଲା, ବିକାଶ ଦୁବେ ନିଜ ଲୋକଙ୍କ ସହ ମିଶି ସିଓ ଦେବେନ୍ଦ୍ରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା।
ସଚ୍ଚୋଟ ଥିଲେ ଦେବେନ୍ଦ୍ର ମିଶ୍ର

ସିଓ ଦେବେନ୍ଦ୍ର ମିଶ୍ର ସଚ୍ଚୋଟ ଅଧିକାରୀ ଥିଲେ। କ୍ଷେତ୍ରର ବଡ ବଡ ଅପରାଧୀଙ୍କ ଉପରେ ତାଙ୍କର ତୀକ୍ଷ୍ଣ ନଜର ରହୁଥିଲା। ଦେବେନ୍ଦ୍ର ମିଶ୍ର ଜାଣିଥିଲେ ଯେ, ବିକାଶ ଦୁବେଠୁ ବଡ ଅପରାଧୀ ଆଉ ଇଲାକାରେ କେହି ନୁହନ୍ତି। ଯେବେ ବି ତାଙ୍କ ପାଖକୁ ବିକାଶ ଦୁବେ ସମ୍ବନ୍ଧିତ କେସ୍ ଆସୁଥିଲା, ସେ କଠୋର ଆଭିମୁଖ୍ୟ ଆପଣଉଥିଲେ। ମାତ୍ର ତାଙ୍କୁ ଚୋବେପୁର ଥାନାରୁ କୌଣସି ପ୍ରକାରର ସହଯୋଗ ମିଳୁନଥିଲା। ସିଓ ବିକାଶ ଦୁବେ ସମ୍ବନ୍ଧିତ କାମ ହେବାକୁ ଦେଉନଥିଲେ। ଏହି କାରଣରୁ ବିକାଶ ଦୁବେ ପାଇଁ ସିଓ ଦେବେନ୍ଦ୍ର ମିଶ୍ର କଣ୍ଟା ପାଲଟି ଯାଇଥିଲେ।
ସିଓଙ୍କ ଭାଇରାଲ ଚିଠିରେ ହେଲା ଖୁଲାସା

ସୋମବାର ସହିଦ ସିଓଙ୍କ ଭାଇରାଲ ଚିଠିରେ ଏହାର ଖୁଲାସା ହୋଇଛି ଯେ, ନିଲମ୍ବିତ ଚୋବେପୁର ଥାନା ଅଧିକାରୀ ବିନୟ ତିଓ୍ଵାରୀ କେଉଁଭଳି ଦୁବେର କୁକୁର ପରି କାମ କରୁଥିଲା। ଦୁବେ ଉପରେ ଧାରା ୩୮୬ ଲଗାଇବା ଜାଗାରେ ଏହାକୁ ହଟାଇ ଦେଇଥିଲା ଲାଞ୍ଚୁଆ ଏବଂ ନପୁଂସକ ଥାନା ଅଧିକାରୀ ବିନୟ ତିଓ୍ଵାରୀ। ଦୁବେର ପାଦ ଚଟାଳି ବିନୟର ଏହି ଏତାଦୃଶ୍ୟରେ ସିଓ ଏତେ ମର୍ମାହତ ଥିଲେ ଯେ, ତାଙ୍କୁ ତୁରନ୍ତ ଏସଏସପିଙ୍କ ପାଖକୁ ପତ୍ର ଲେଖିବାକୁ ପଡିଥିଲା। ଏହା ସହିତ ସେ ଆଶଙ୍କା ପ୍ରକାଶ କରିଥିଲେ ଯେ, ଲମ୍ପଟ ଥାନା ଅଧିକାରୀ ତିଓ୍ଵାରୀ ନିଜର ଏହି ଆଭିମୁଖ୍ୟ ନବଦଳାଇଲେ ଦିନେ ଦିନେ ବଡ ଅଘଟଣ ଘଟିବ। ସଂପ୍ରତି ସିଓଙ୍କ ଭାଇରାଲ ଚିଠିର ଯାଞ୍ଚ ଆଇଜି ଲକ୍ଷ୍ନୌ କରୁଛନ୍ତି।
ସହିଦ ଏସଓ ଓ ଲାଞ୍ଚୁଆ ଥାନା ଅଧିକାରୀ ମଧ୍ୟରେ ପଡୁନଥିଲା

ସୂଚନା ଅନୁଯାୟୀ ସିଓ ଓ ନିଲମ୍ବିତ ଏସଓ ମଧ୍ୟରେ ତାଳମେଳ ରହୁନଥିଲା। ବିଶେଷ କରି ବିକାଶ ଦୁବେ ମାମଲା ଆସିଲେ ଥାନା ଅଧିକାରୀ ବିନୟ ତିଓ୍ଵାରୀ ସିଓଙ୍କୁ କୌଣସି ପ୍ରକାରର ସହଯୋଗ କରୁନଥିଲା। ଓଲଟା ଦୁବେକୁ ବଞ୍ଚାଇବା ପାଇଁ ଫନ୍ଦି ଫିକର କରୁଥିଲା। ଲମ୍ପଟ ବିନୟ ତିଓ୍ଵାରୀ ଉପରେ ଅଧିକ ଚାପ ପଡିଲେ, ବିକେଶ ଦୁବେକୁ କହୁଥିଲା, ସିଓଙ୍କ କହିବାନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ବାଧ୍ୟ ହୋଇ ମୋତେ କରିବାକୁ ପଡୁଛି। ବିକାଶ ଦୁବେ ହୃଦବୋଧ କରିଥିଲା ଯେ, ସିଓ ତାକୁ ଜେଲ୍ ପଠାଇପାରେ କିମ୍ବା ଏନକାଉଣ୍ଟର କରିପାରେ।