ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଫାଟି ଯାଇଥିଲା ଶିଶୁର ମୁହଁ: ନୂଆ ଜୀବନ ଦେଇ ଉଦାହରଣ ସୃଷ୍ଟି କଲେ ଡାକ୍ତର

Published By : Prameya-News7 Bureau | October 11, 2021 IST

କାନପୁର ୧୧/୧୦ : କାନପୁର ଜିଏସବିଏସ ମେଡିକାଲ କଲେଜର ଡାକ୍ତର ନିଜ ପରିଶ୍ରମ ଓ କର୍ତ୍ତବ୍ୟନିଷ୍ଠାର ଉଦାହରଣ ଦେଇଛନ୍ତି। ସଡକ ଦୁର୍ଘଟଣାରେ ନିଜ ଚେହେରା ହରାଇଥିବା ଜଣେ ଶିଶୁକୁ ଡାକ୍ତର ନୂଆ ଜୀବନ ଦେଇଛନ୍ତି। ଦୁର୍ଘଟଣାରେ ଶିଶୁର ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସେ ପୁଣି କେବେ କଥା କହିବ ବୋଲି ମଧ୍ୟ କେହି ଭାବିନଥିଲେ। ଡାକ୍ତର ଶିଶୁର ମୁହଁ ଅପରେସନ କରି ତାକୁ ଠିକ କରିଦେଇଛନ୍ତି। ଏହାପରେ ଶିଶୁକୁ ଲକ୍ଷ୍ନୌ ସ୍ଥିତ ଟ୍ରମା ସେଣ୍ଟର ସ୍ଥାନାନ୍ତର କରିଛନ୍ତି।

ଉନ୍ନାବ ବାସିନ୍ଦା ୧୦ ବର୍ଷର ଖୁଶବୁ ନିଜ ବାପା ତେଜ ସିଂହ ଓ ମା' ଗାୟତ୍ରୀଙ୍କ ସହ ବାଇକରେ ଘରକୁ ଯାଇଥିଲେ। ବାପା ବ୍ରେକ ମାରିବାରୁ ହଠାତ ୩ଜଣ ଯାକ ରାସ୍ତା ଉପରେ ପଡିଗଲେ ଓ ତାଙ୍କୁ ଟ୍ରକ ଚାପି ଦେଇଥିଲା। ତେଜ ସିଂହଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ମା' ଗୁରୁତର ଆହତ ହୋଇଥିଲେ। ଖୁଶବୁର ମୁହଁ ପୁରା ଫାଟି ଯାଇଥିଲା। ସେ ବଞ୍ଚିବ ବୋଲି ବି କେହି ଭାବିନଥିଲେ। ତାକୁ ତୁରନ୍ତ ହ୍ୟାଲଟ ଏମେର୍ଜେନ୍ସିରେ ଭର୍ତ୍ତି କରାଯାଇଥିଲା। ସୂଚନା ପାଇ ଜିଲ୍ଲା ଅଧିକାରୀ ବିଶାଖ ଅୟର ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲେ। ଇଏନଟି ସର୍ଜରୀ ବିଭାଗର ଜୁନିୟର ଡାକ୍ତର ଡ.କାଜି, ନେତ୍ର ରୋଗ ବିଭାଗ ଡ.କଲ୍ୟାଣ ଓ ସର୍ଜନ ଡ.ସୃଜନ ତ୍ରିପାଠୀ ମିଶି ଖୁଶବୁର ମୁହଁର ସର୍ଜରୀ କରିଥିଲେ।

ମୁହଁରେ ଷ୍ଟିଚ ପକାଇ ରକ୍ତସ୍ରାବ ବନ୍ଦ କରାଯାଇଥିଲା ଓ କ୍ଷତିଗ୍ରସ୍ତ ମାଂସପେଶୀକୁ ଠିକ କରାଗଲା। ଡ.ସୃଜନ ତ୍ରିପାଠୀ କହିଛନ୍ତି ଯେ ଶିଶୁର ନିଶ୍ୱାସ ପ୍ରଶ୍ୱାସ ମଧ୍ୟ ଧୀରେ ଚାଲୁଥିଲା। ଶିଶୁର ଜୀବନ ବଞ୍ଚାଇବାକୁ ସେମାନେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲେ ଓ ସଫଳ ମଧ୍ୟ ହେଲେ। ଶିଶୁର ମୁହଁର ସବୁ ହାଡ ଭାଙ୍ଗି ଯାଇଛି। ଛାତିରେ ଆଘାତ ହୋଇଛି। ଗୋଡ ଫ୍ରାକ୍ଚର ହୋଇଛି। ଆଗକୁ ଚିକିତ୍ସା ପାଇଁ ତାକୁ ଲକ୍ଷ୍ନୌ ଟ୍ରମା ସେଣ୍ଟର ପଠାଯାଇଛି। ଖୁଶବୁର ମୁହଁ ପୁଣିଥରେ ଅପରେସନ କରାଯାଇପାରେ। ତେବେ ଶିଶୁର ଜୀବନ ବଞ୍ଚିଯାଇଛି ବୋଲି ଡାକ୍ତର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.