ଅକ୍ଟୋବର ୨ରେ କଂଗ୍ରେସରେ ମିଶିବେ କହ୍ନେୟା କୁମାର, ଲଢି ସାରିଛନ୍ତି ଲୋକସଭା ନିର୍ବାଚନ

Published By : Prameya-News7 Bureau | September 21, 2021 IST

ନୂଆଦିଲ୍ଲୀ ୨୧।୦୯:  କମ୍ୟୁନିଷ୍ଟ ନେତା ତଥା ଜେଏନୟୁ ଛାତ୍ର ସଂଘର ପୂର୍ବତନ ସଭାପତି କହ୍ନେୟା କୁମାର ଅକ୍ଟୋବର ୨ରେ କଂଗ୍ରେସରେ ମିଶିବେ। ସୂତ୍ର ମୁତାବକ ଗୁଜରାଟ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି  ହାର୍ଦ୍ଦିକ ପଟେଲ୍ ବହୁ ଦିନରୁ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀଙ୍କୁ କଂଗ୍ରେସରେ ସାମିଲ୍ କରାଇବାକୁ ଚେଷ୍ଟା ଚଳାଇଥିଲେ। ଯାହା ଏବେ କାର୍ଯ୍ୟରେ ପରିଣତ ହେବାକୁ ଯାଉଛି। ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

କହ୍ନେୟା ୨୦୧୯ ଲୋକସଭା ନିର୍ବାନରେ ନିଜର ଗୃହନଗର ବିହାରର ବେଗୁସରାୟରୁ ନିର୍ବାଚନ ଲଢିଥିଲେ। ମାତ୍ର ବିଜେପି ପ୍ରାର୍ଥୀ ଗିରିରାଜ ସିଂହଙ୍କଠୁ ୪ ଲକ୍ଷ ଭୋଟ୍‌ରେ ହାରିଥିଲେ। ଏହି ନିର୍ବାଚନରେ କହ୍ନେୟାଙ୍କୁ ୨.୬୮ ଲକ୍ଷ ଭୋଟ୍ ମିଳିଥିବା ବେଳେ ଗିରିରାଜଙ୍କୁ ୬.୮୮ ଲକ୍ଷ ଭୋଟ୍ ମିଳିଥିଲା। ଅନ୍ୟପଟେ ଗୁଜରାଟ ବଡଗାମ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ଵ କରୁଥିବା ଦଳିତ ନେତା ଜିଗ୍ନେଶ ମେଓ୍ଵାଣୀଙ୍କୁ ପାର୍ଟିର ରାଜ୍ୟ କାର୍ଯ୍ୟକାରୀ ସଭାପତି କରାଯାଇପାରେ।

ଆସନ୍ତା ବର୍ଷ ଶେଷ ଆଡକୁ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ବିଜେପି ଏବଂ କଂଗ୍ରେସ ପାଇଁ ସମ୍ମାନର ବିଷୟ ପାଲଟିଛି। କଂଗ୍ରେସ ନିଜ ଦଳରେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀଙ୍କୁ ସାମିଲ୍ କରାଇ ବିଜେପିକୁ ମାତ୍ ଦେବାକୁ ରଣନୀତି ପ୍ରସ୍ତୁତ କରୁଛି। ଗତ ନିର୍ବାଚନରେ କଂଗ୍ରେସ ଶାସକ ବିଜେପିକୁ କଡା ଟକ୍କର ଦେଇଥିଲା। ହେଲେ କୌଣସି ପ୍ରକାରେ ବିଜେପି ନିଜର ଗଡ ରକ୍ଷା କରିବାରେ ସଫଳ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.