କଂଗ୍ରେସରେ ମିଶିବା ପୂର୍ବରୁ ସିପିଆଇ କାର୍ଯ୍ୟାଳୟରୁ ଏସି କାଢି ନେଲେ କହ୍ନେୟା କୁମାର

Published By : Prameya-News7 Bureau | September 27, 2021 IST

ପାଟନା ୨୬।୦୯: ଜେଏନୟୁ ଛାତ୍ର ସଂଘର ପୂର୍ବତନ ସଭାପତି କହ୍ନେୟା କୁମାର ଆସନ୍ତାକାଲି କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ଚାଲିଛି। ଏହା ମଧ୍ୟରେ ଖବର ଆସିଛି ଯେ, ପାଟନା ସ୍ଥିତ ସିପିଆଇର ରାଜ୍ୟ କାର୍ଯ୍ୟାଳୟରେ ନିଜ ରୁମରୁ କହ୍ନେୟା ଏସି  କାଢି ନେଇଛନ୍ତି।  ତାଙ୍କର ସିପିଆଇ ଛାଡିବା ନେଇ ଅନେକ ଦିନ ଧରି ଚର୍ଚ୍ଚା ଜାରି ରହିଥିଲା। ଏବେ ପାର୍ଟି କାର୍ଯ୍ୟାଳୟ ରୁମରୁ ଏସି କାଢି ନେବା ଘଟଣା ଏହା ଆହୁରି ସ୍ପଷ୍ଟ କରି ଦେଉଛି ଯେ, କହ୍ନେୟା ଶୀଘ୍ର ସିପିଆଇ ଛାଡୁଛନ୍ତି। ସିପିଆଇ ରାଜ୍ୟ ସଂପାଦକ ରାମନରେଶ ପାଣ୍ଡେ କହିଛନ୍ତି, କହ୍ନେୟା ପାର୍ଟି କାର୍ଯ୍ୟାଳୟରୁ ନିଜର ଏସି ନେଇ ଯାଇଛନ୍ତି।

ରାମନରେଶ ପାଣ୍ଡେ କହିଛନ୍ତି, କହ୍ନେୟା କୁମାର ନିଜ ଏବଂ ନିଜ ଲୋକଙ୍କ ପାଇଁ ରାଜ୍ୟ କାର୍ଯ୍ୟାଳୟରେ ନିଜ ରୁମରେ ଶୀତତାପ ନିୟନ୍ତ୍ରକ(ଏସି) ଲଗାଇଥିଲେ। ଏସି କାଢି ନେବା ପାଇଁ ସେ ଅନୁମତି ମଧ୍ୟ ମାଗିଥିଲେ। ମୁଁ କହିଲି, ଏହା ଆପଣଙ୍କର ବ୍ୟକ୍ତିଗତ ସଂପତ୍ତି। ଆପଣ ନେଇ ଯାଇ ପାରିବେ। କହ୍ନେୟା ପାର୍ଟି ପ୍ରମୁଖଙ୍କୁ କହିଛନ୍ତି ଯେ, ସେ ଅନ୍ୟ କେଉଁଠି ରୁମ୍ ନେଇଛନ୍ତି, ସେଠାରେ ଏସି ଲଗାଇବେ।

ପାର୍ଟି ନେତାଙ୍କଠୁ ନେଇ କାର୍ଯ୍ୟକର୍ତ୍ତା ମଧ୍ୟ କହ୍ନେୟାଙ୍କ କଂଗ୍ରେସରେ ଯୋଗଦାନକୁ ନେଇ ଚର୍ଚ୍ଚା କରୁଛନ୍ତି। କହ୍ନେୟା କୁମାର ଏହି ପ୍ରସଙ୍ଗରେ ମୁହଁ ନଖୋଲିବା କଳ୍ପନାଜଳ୍ପନାକୁ ମଧ୍ୟ ଜୋର କରିଛି। ଗତ ମଙ୍ଗଳବାର ଜେଏନୟୁ ଛାତ୍ର ସଂଘର ପୂର୍ବତନ ସଭାପତି କହ୍ନେୟାଙ୍କୁ ଦିଲ୍ଲୀରେ ପାର୍ଟିର ନେତା ଅପେକ୍ଷା କରି ବସିଥିଲେ। କହ୍ନେୟା ଆସିବେ ଏବଂ ନିଜର ପ୍ରତିକ୍ରିୟା ରଖିବେ ବୋଲି ପାର୍ଟି ହାଇକମାଣ୍ଡ ଚାହିଁ  ରହିଥିଲେ। ହେଲେ କୁମାର ପାର୍ଟି କାର୍ଯ୍ୟାଳୟ ଆସିନଥିଲେ। କହ୍ନେୟାଙ୍କ ଏପରି ଆଭିମୁଖ୍ୟରେ ଦଳ ଅସନ୍ତୋଷ ବ୍ୟକ୍ତ କରିଛି।

କହ୍ନେୟା ୨୦୧୯ ଲୋକସଭା ନିର୍ବାନରେ ନିଜର ଗୃହନଗର ବିହାରର ବେଗୁସରାୟରୁ ନିର୍ବାଚନ ଲଢିଥିଲେ। ମାତ୍ର ବିଜେପି ପ୍ରାର୍ଥୀ ଗିରିରାଜ ସିଂହଙ୍କଠୁ ୪ ଲକ୍ଷ ଭୋଟ୍‌ରେ ହାରିଥିଲେ। ଏହି ନିର୍ବାଚନରେ କହ୍ନେୟାଙ୍କୁ ୨.୬୮ ଲକ୍ଷ ଭୋଟ୍ ମିଳିଥିବା ବେଳେ ଗିରିରାଜଙ୍କୁ ୬.୮୮ ଲକ୍ଷ ଭୋଟ୍ ମିଳିଥିଲା। ଅନ୍ୟପଟେ ଗୁଜରାଟ ବଡଗାମ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ଵ କରୁଥିବା ଦଳିତ ନେତା ଜିଗ୍ନେଶ ମେଓ୍ଵାଣୀଙ୍କୁ ପାର୍ଟିର ରାଜ୍ୟ କାର୍ଯ୍ୟକାରୀ ସଭାପତି କରାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.