କଂଗ୍ରେସ ସବୁଠୁ ବଡ ବିରୋଧୀ ଦଳ, ସେ ନବଞ୍ଚିଲେ, ଦେଶ ବି ବଞ୍ଚିବ ନାହିଁ: କହ୍ନେୟା କୁମାର

Published By : Prameya-News7 Bureau | September 28, 2021 IST

ନୂଆଦିଲ୍ଲୀ ୨୮।୦୯: ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଜେଏନୟୁର ପୂର୍ବତନ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ଓ ଗୁଜରାଟରୁ ବିଧାୟକ  ଜିଗ୍ନେଶ ମେଓ୍ଵାଣୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ଦୁଇ ଯୁବ ନେତା। କହ୍ନେୟା କୁମାର କହିଛନ୍ତି, କଂଗ୍ରେସ ବଞ୍ଚିଲେ ଯାଇ ଦେଶ ବଞ୍ଚିବ। ଜିଗ୍ନେଶ ମେଓ୍ଵାଣୀ କହିଛନ୍ତି, ଆଜି ଆମର ସମ୍ବିଧାନ ଓ ଗଣତନ୍ତ୍ର ବିପଦରେ। ଏହାକୁ ଆମକୁ ବଞ୍ଚାଇବାକୁ ପଡିବ।

କହ୍ନେୟା କହିଛନ୍ତି, ମୁଁ ହୃଦବୋଧ କରେ ଯେ, ଏହି ଦେଶରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ କେବଳ ବ୍ୟକ୍ତି ନୁହନ୍ତି  ବରଂ ଏକ ବିଚାରଧାରା।  ଏହି ଦେଶର ଚିନ୍ତନ, ପରମ୍ପରା, ସଂସ୍କୃତି, ମୂଲ୍ୟବୋଧ, ଇତିହାସ, ବର୍ତ୍ତମାନ ଓ ଭବିଷ୍ୟତକୁ କୁତ୍ସିତ କରିବାକୁ ଉଦ୍ୟମ ଚାଲିଛି। ମୁଁ ପଢିଥିଲି ଯେ, ଆପଣ ନିଜ ଶତ୍ରୁକୁ  ଆପଣେଇଲେ, ବନ୍ଧୁତା ଆପେ ଆପେ ହୋଇଯାଏ। ବାସ୍ ମୁଁ ଏହା ହିଁ କରିଛି। ଗଣତାନ୍ତ୍ରିକ ପାର୍ଟିରେ ମୁଁ ଏଥିପାଇଁ ସାମିଲ୍ ହେବାକୁ ଚାହୁଁଥିଲି କାରଣ ଏବେ ଲାଗିଲାଣି ଯେ, ଯଦି କଂଗ୍ରେସ ବଞ୍ଚିବ ନାହିଁ ତେବେ ଦେଶ ମଧ୍ୟ ବଞ୍ଚିବ ନାହିଁ।

କହ୍ନେୟା କହିଛନ୍ତି, ଦେଶରେ ବର୍ତ୍ତମାନ ମଧ୍ୟ ପ୍ରଧାନମନ୍ତ୍ରୀ ଅଛନ୍ତି, ପୂର୍ବରୁ ବି ଥିଲେ ଏବଂ ଭବିଷ୍ୟତରେ ମଧ୍ୟ ରହିବେ। ହେଲେ ଆଜି ଆମେ ଯେତେବେଳେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିର ଫର୍ମ ଭରିଲୁ ବନ୍ଧୁ  ଜିଗ୍ନେଶ ମଧ୍ୟ ସମ୍ବିଧାନର ପତ୍ର ଦେଇଥିଲେ। ଏଥିସହ ଆମେ ଗାନ୍ଧୀ-ଆମ୍ବେଦକର ଓ ଭଗତ ସିଂହଙ୍କ ଫଟୋ ମଧ୍ୟ ଦେଲୁ। କାରଣ  ଆଜି ଏହି ଦେଶକୁ ଭଗତ ସିଂହଙ୍କ ସାହାସ, ଆମ୍ବେଦକରଙ୍କ ସମାନତାର ଏବଂ ଗାନ୍ଧୀଙ୍କ ଏକତାର ଆବଶ୍ୟକତା ରହିଛି।

ସେ କହିଛନ୍ତି, ଯଦି ଦେଶର ସବୁଠୁ ବଡ ବିରୋଧୀ ଦଳ ବଞ୍ଚିବ ନାହିଁ, ତେବେ ଦେଶ ମଧ୍ୟ ବଞ୍ଚିବ ନାହିଁ। ବଡ ବଡ ଜାହାଜକୁ ବଞ୍ଚାଯାଇ ନପାରିଲେ ଛୋଟ ଛୋଟ ଡଙ୍ଗା ମଧ୍ୟ ବୁଡିଯିବ। ମୋତେ ଭରସା ଯେ, କଂଗ୍ରେସ ଏକ ଗଣତାନ୍ତ୍ରିକ ଦଳ ହିସାବରେ ସରକାରଙ୍କୁ ପ୍ରଶ୍ନ କରିବା ଏବଂ ଲୋକଙ୍କ ସଂଘର୍ଷ ପାଇଁ ଲଢେଇରେ ଆମର ସମର୍ଥନ ଦେବ ବୋଲି କହ୍ନେୟା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.