ରାଜଧାନୀରେ କଙ୍ଗାରୁକୋର୍ଟ ଘଟଣା : ମୁଖ୍ୟ ଅଭିଯୁକ୍ତ ସୁବାସ ସର୍ଦ୍ଦାର ଗିରଫ, ଏବେବି ଖୋଲା ବୁଲୁଛନ୍ତି ଅନ୍ୟ ଅଭିଯୁକ୍ତ
4/06/2019 at 5:44 PM

ଭୁବନେଶ୍ବର ୪|୬: ରାଜଧାନୀରେ କଙ୍ଗାରୁକୋର୍ଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁବାସ ସର୍ଦ୍ଦାରକୁ ଗିରଫ କରିଛି ପୋଲିସ । ତେବେ ଅନ୍ୟ ଅଭିଯୁକ୍ତମାନେ ଏବେ ବି ଖୋଲା ବୁଲୁଛନ୍ତି । ଶନିବାର ରାତିରେ ମଞ୍ଚେଶ୍ବର ଧିରକୁଟ୍ ବସ୍ତିରେ କିଛି ଲୋକ ଜଣେ ଟିଉସନ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଲଣ୍ଡାକରି ଚୁନକାଳି ବୋଲି ବୁଲାଇଥିଲେ । ଏମିତିକି ଶିକ୍ଷକଙ୍କ ପତ୍ନୀଙ୍କୁ ମଧ୍ୟ ଟଣାଓଟଣା କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । ନ୍ୟୁଜ୍ ସେଭେନ୍ରେ ଏ ନେଇ ଖବର ପ୍ରସାରଣ ପରେ ଆକ୍ସନକୁ ଆସିଛି କମିଶନରେଟ୍ ପୋଲିସ ।

ଅସାମାଜିକଙ୍କ ଉପରେ ନିୟନ୍ତ୍ରଣ ନାହିଁ । ପୋଲିସକୁ ଖାତିର କରୁନାହାନ୍ତି ଦୁର୍ବୃତ୍ତ । ବରଂ ବସ୍ତି ଲୋକଙ୍କୁ ନିଜ କନ୍ଟ୍ରୋଲରେ ରଖୁଥିବା କୁଜି ନେତାଙ୍କ ଇଶାରାରେ ଚାଲୁଛି ଥାନା । ସେମାନଙ୍କ ସମର୍ଥକଙ୍କ ପାଇଁ ବାଟ ଭାଙ୍ଗୁଛି ଆଇନ୍ । ମାଡ଼ ଖାଇଥିବା ଲୋକ ନାଁରେ ରୁଜୁ ହେଉଛି ମାମଲା । ଆଉ ନିଶରେ ହାତ ମାରି ଖୁଲମଖୁଲା ବୁଲୁଛନ୍ତି ଅଭିଯୁକ୍ତ ।

ଗଲା ଶନିବାର ଦିନ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ମଞ୍ଚେଶ୍ବର ଥାନା ଅଂଚଳରେ ଥିବା ଧିରକୁଟ୍ ବସ୍ତିରେ । ସେଠାରେ କଙ୍ଗାରୁକୋର୍ଟ ଚଳାଇ ନିଜ ମନମାନୀ କରୁଥିବା କିଛି ଦୁର୍ବୃତ୍ତ ଜଣେ ଟିଉସନ୍ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଲଣ୍ଡାକରି ଚୂନକାଳି ବୋଳି ବସ୍ତିରେ ବୁଲାଇଥିଲେ । ଏମିତିକି ଶିକ୍ଷକଙ୍କ ପତ୍ନୀଙ୍କୁ ମଧ୍ୟ ଛାଡ଼ିନଥିଲେ । ତାଙ୍କୁ ମଧ୍ୟ ପିଟିବା ସହ ଟଣାଓଟରା କରି ବିଚ୍ ରାସ୍ତାରେ ଉଲଗ୍ନ କରିବାକୁ ଚେଷ୍ଟା କରିଥିଲେ । ହେଲେ ସବୁ କିଛି ସରିବା ପରେ ମଞ୍ଚେଶ୍ବର ପୋଲିସର ନିଦ ଭାଙ୍ଗିଥିଲା । ଆଉ କଙ୍ଗାରୁକୋର୍ଟ ଚଳାଇଥିବା ଅଭିଯୁକ୍ତଙ୍କୁ ଧରିବା ବଦଳରେ ମାଡ଼ ଖାଇଥିବା ଶିକ୍ଷକଙ୍କୁ ଉଠାଇ ନେଇଥିଲା ପୋଲିସ । ଏନେଇ ନ୍ୟୁଜ୍ ସେଭେନ୍ରେ ଖବର ପ୍ରସାରଣ ପରେ ଆକ୍ସନକୁ ଆସିଛନ୍ତି ପୋଲିସ କମିଶନର । ଆଉ କଙ୍ଗାରୁକୋର୍ଟ ଚଳାଇଥିବା ମୁଖ୍ୟ ଅଭିଯୁକ୍ତ ସୁବାସ ସର୍ଦ୍ଦାରକୁ ଗିରଫ କରିଛି ପୋଲିସ ।

ଶନିବାର ଘଟଣାକୁ ନେଇ ଅଭିଯୁକ୍ତଙ୍କ ଅଭିଯୋଗ ଆଧାରରେ ମଞ୍ଚେଶ୍ବର ପୋଲିସ କଙ୍ଗାରୁକୋର୍ଟରେ ଦଣ୍ଡିତ ହୋଇଥିବା ଶିକ୍ଷକଙ୍କୁ ଗିରଫ କଲା । ହେଲେ ଆଇନ୍କୁ ହାତକୁ ନେଇଥିବା ଅଭିଯୁକ୍ତଙ୍କ ଦେହରେ ହାତ ବି ମାରିଲାନି । ଏମିତିକି ଗିରଫ ଶିକ୍ଷକଙ୍କ ପତ୍ନୀଙ୍କ ଅଭିଯୋଗ ମଧ୍ୟ ଶୁଣିନଥିଲା ପୋଲିସ । ଏବେ ଶିକ୍ଷକଙ୍କ ପତ୍ନୀ ନ୍ୟାୟ ପାଇଁ କୋର୍ଟର ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି ।

ଶିକ୍ଷକଙ୍କ ବିରୋଧରେ ଯେଉଁ ଅସଦାଚରଣର ଅଭିଯୋଗ ହୋଇଛି ତାହା ସତ ନୁହେଁ ଷଡ଼ଯନ୍ତ୍ର । ଏହା କହିଛନ୍ତି ତାଙ୍କ ପାଖରେ ଦୀର୍ଘ ଦିନ ଧରି ପାଠ ପଢ଼ୁଥିବା କିଛି ଛାତ୍ରୀ ଏବଂ କିଛି ବସ୍ତିବାସିନ୍ଦା । ଯାହାକୁ ଦେଖି କମିଶନରେଟ୍ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରଷ୍ଠ ଆଇନଜୀବୀ । ରାଜଧାନୀରେ ଏଭଳି କଙ୍ଗାରୁକୋର୍ଟ ଚଳାଇଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଦମନ୍ କରିବା ଦରକାର ବୋଲି କହୁଛନ୍ତି ।

ଯେଉଁଠି ପୋଲିସର ବଡ଼ ଅଧିକାରୀ ପିପୁଲ୍ସ୍ ଫ୍ରେଣ୍ଡଲିର ସ୍ଲୋଗାନ୍ ଘୋଷୁଛନ୍ତି । ସେଠି କିଛି ଥାନାବାବୁଙ୍କ ପାଇଁ ଏହାର ସୁଫଳ ମିଳିପାରୁନାହିଁ । ଏମିତିରେ ସାଧାରଣରେ ପୋଲିସ ପ୍ରତି ରହିଥିବା ଆଭିମୁଖ୍ୟ ବଦଳିବ କେମିତି ?