ନୟାଗଡରେ ନଖ ଦର୍ପଣ ଓ ଖଟ ବୁଲିଲା : ଗୋଟିଏ ପରିବାରକୁ ଚୋର ସାବ୍ୟସ୍ତ କରି ଚାଲିଲା ଜୁଲୁମ, ପୋଲିସ ନୀରବ… ସୋନପୁରରେ ଗୁଣି ସଂଦେହରେ ଆକ୍ରମଣ
23/06/2019 at 6:20 PM

ନୟାଗଡ/ସୋନପୁର୨୩|୬; ଏବେ ବି ଲୋକଙ୍କ ମନରେ ଅନ୍ଧବିଶ୍ବାସ ଆସ୍ଥାନ ଜମାଇ ବସିଛି । ଚୋର ଧରିବାକୁ ଲୋକେ ଖଟ ବୁଲାଉଛନ୍ତି । ଯାହା ଉପରେ ସନ୍ଦେହ ହେଉଛି ଆକ୍ରମଣ କରୁଛନ୍ତି, ଆଉ ଲକ୍ଷାଧିକ ଟଙ୍କା ଜରିମାନା କରୁଛନ୍ତି । ଏମିତି ଏକ ଘଟଣା ଘଟିଥି ନୟାଗଡ଼ କୋଟଗଡ଼ ଗାଁରେ । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଟେଭାପଦର ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତି ଲହୁଲୁହାଣ ହୋଇଛନ୍ତି ।…

ଚୋର ଧରିବା ପାଇଁ ବାରମ୍ବାର ବୁଲୁଛି ଖଟ। ଗତ ୧୦ ତାରିଖରେ ରଣପୁର କୋଟଗଡ଼ ଗାଁରେ ଖଟ ବୁଲିବା ସହ ଚୋରି ସନ୍ଦେହରେ ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଥିବା ବେଳେ ଗତକାଲି ଖଟ ବୁଲିଛି ନୟାଗଡ଼ ଉଦୟପୁର ଗାଁରେ ଆଉ ଆକ୍ରମଣର ଶିକାର ହୋଇଛନ୍ତି ମାଧବ ବେହେରା । ୧୦ ଦିନ କୁଳମଣି ବେହେରାଙ୍କ ପୁଅର ଏକୋଇଶିଆ ଚାଲିଥିବା ସମୟରେ ବନ୍ଧୁବାନ୍ଧବ ଦେଇଥିବା ଟଙ୍କା ଚୋରୀ ହୋଇଯାଇଥିଲା । ଚୋର ଧରିବା ପାଇଁ କୁଳମଣି ଗୁଣିଆ ଡାକି ନଖଦର୍ପଣ କରିବା ସହ ଦୁଇ ଦିନ ଧରି ଗାଁରେ ଖଟ ବୁଲାଇଥିଲେ । ହେଲେ ଚୋର ଧରାପଡିନଥିଲା ।

ଗତକାଲି ଅପରାହ୍ନରେ ଗାଁରେ ପୁଣିଥରେ ଖଟବୁଲାଇବା ସମୟରେ ପୋଲିସ ପହଞ୍ଚିବାରୁ ଖଟ ବୁଲା ବନ୍ଦ ରହିଥିଲା । ତେବେ ବିଳମ୍ବିତ ରାତିରେ ପୁଣିଥରେ ଖଟ ବୁଲାଇବା ବେଳେ ଖଟ ମାଧବଙ୍କ ଘରେ ଲାଗିଥିଲା । ଗ୍ରାମବାସୀ ମାଧବଙ୍କୁ ଚୋରିକରିଥିବା ଅଭିଯୋଗରେ ମାଡମାରିବା ସହ ୧ ଲକ୍ଷ ୪୨ ହଜାର ଟଙ୍କା ଜରିମାନା ଦେବାକୁ ବାଧ୍ୟ କରିଥିଲେ । ଏ ସମ୍ପର୍କରେ ଥାନାରେ ଜଣାଇଲେ କିମ୍ବା ଟଙ୍କା ନଦଲେ ଗାଁରୁ ବାସନ୍ଦ କରିବାକୁ ଧମକ ଦେଇଥିବା ମାଧବ ଅଭିଯୋଗ କରିଛନ୍ତି ।…

ଏକାଇଶିଆ ଦିନ ସ୍ବାମୀ ସ୍ତ୍ରୀ ଭୋଜି ଖାଇବାକୁ ଯାଇଥିଲେ, କିନ୍ତୁ ଚୋରୀ ସମ୍ପର୍କରେ କିଛି ଜାଣିନଥିବା ମାଧବ କହିଛନ୍ତି । ତେବେ ଭୟରେ ଏନେଇ ଥାନାରେ ଏତଲା ଦେଇନାହାଁନ୍ତି । ପୋଲିସ ମଧ୍ୟ ଏ ସମ୍ପର୍କରେ ମୁହଁ ଖୋଲୁନି ।

ଏପଟେ ସୋନପୁର ମୁଖ୍ୟ ଚିକିତ୍ସାଳୟ ବେଡ୍ରେ ପଡ଼ିଛନ୍ତି ଟେଭାପଦର ଗାଁର ଦୋଳ ଗୋବିନ୍ଦ ମେହେର । ଗୁଣି ଗାରେଡି ସଂନ୍ଦେହରେ ଦୋଳ ଗୋବିନ୍ଦଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଅଭିଯୋଗ ହୋଇଛି ଯେ, ଦୋଳଗୋବିନ୍ଦ ଗୁଣି କରି ଗୋଟିଏ ପରିବାରରେ କାଳିସୀ ଲଗାଉଥିଲେ । ସଂପୃକ୍ତ ପରିବାର ଲୋକେ ଦୋଳଗୋବିନ୍ଦଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିବା ପରିବାର ପକ୍ଷରୁ ସୁବଳୟା ଥାନାରେ ଅଭିଯୋଗ କରାଯାଇଛି ।…

ବିଜ୍ଞାନ ଯୁଗରେ ଆଜି ମଧ୍ୟ ଲୋକେ ଚୋର ଧରିବାକୁ ଖଟ ବୁଲାଉଛନ୍ତି, ଗୁଣି ଗାରେଡ଼ି ସନ୍ଦେହ କରି ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଏନେଇ ସଚେତନତା ଓ କଡ଼ା କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ପଡୁଛି ।