‘ମୋ ଝିଅ ପାଇଁ ଚିନ୍ତିତ, ସୁରକ୍ଷା ଯୋଗାଇଦିଅନ୍ତୁ କେନ୍ଦ୍ର ସରକାର’: କଙ୍ଗନାଙ୍କ ବାପା

Published By : Prameya-News7 Bureau | September 05, 2020 IST

ମୁମ୍ବାଇ ୦୫/୦୯: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଲଗାତର ପ୍ରତିକ୍ରିୟା ଦେଇ ଆସୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଏବେ ଟାର୍ଗେଟରେ । ଶିବସେନା ନେତା ଓ କଙ୍ଗନାଙ୍କ ମଧ୍ୟରେ ବିବାଦ ଲାଗିରହିଛି । ଏହାରି ଭିତରେ ସେପ୍ଟେମ୍ବର ୯ରେ ମୁମ୍ବାଇ ଆସିବେ କ୍ବିଇନ୍‌ କଙ୍ଗନା । କିନ୍ତୁ କଙ୍ଗନାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ତାଙ୍କ ବାପା ଅମରଦୀପ ସିଂହ ରଣାଓ୍ବତ । ମନାଲୀ ଯାଇ ଝିଅ କଙ୍ଗନାଙ୍କ ସହ ମୁମ୍ବାଇ ଫେରିବା ନେଇ ଆଲୋଚନା କରିବେ ବୋଲି କହିବା ସହ ନିଜ ଝିଅଙ୍କୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ଅମରଦୀପ ।

ଅମରଦୀପ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ‘ ବାପା ହିସାବରେ ଝିଅ ପ୍ରତି ଚିନ୍ତା ରହିବ।      ଏବେ କଙ୍ଗନା ମନାଲୀ ସ୍ଥିତ ବାସଭବନରେ ଅଛନ୍ତି । ମୁଁ ଏବେ ତାଙ୍କ ପାଖକୁ ବାହାରିଛି । ତାଙ୍କୁ ସାକ୍ଷାତ କରିବା ସହ ମୁଁ ମୋର ଚିନ୍ତା ସମ୍ପର୍କରେ ଅବଗତ କରାଇବି।’

ସେପଟେ କଙ୍ଗନା ଏବେ ସୁରକ୍ଷିତ ଅଛନ୍ତି ବୋଲି କହିବା ସହ ମୁମ୍ବାଇ ଫେରିବା ନେଇ ନିଷ୍ପତ୍ତି ଚିନ୍ତା ବଢ଼ାଇଛି ବୋଲି କହିଛନ୍ତି ଅଭିନେତ୍ରୀଙ୍କ ପିତା। ସେପଟେ ବଲିଉଡରେ ଚାଲିଥିବା ହଲଚଲ ସମ୍ପର୍କରେ କିଛି କହିବାକୁ ମନା କରିଦେଇଥିଲେ କଙ୍ଗନା।

ଏବେ କଙ୍ଗନାଙ୍କ ସମର୍ଥନରେ ବାହାରିଛନ୍ତି ହିମାଚଳପ୍ରଦେଶର ଜଣେ ବିଜେପି ବିଧାୟକ ଇନ୍ଦର ସିଂହ । ​‌ସେ ମଧ୍ୟ କଙ୍ଗନାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । କଙ୍ଗନାଙ୍କ ସଫଳତା ପାଇଁ ପୁରା ହିମାଚଳପ୍ରଦେଶ ଗର୍ବିତ । ବଲିଉଡରେ ଚାଲିଥିବା ନେପୋଟିଜିମ୍‌ ଓ ଡ୍ରଗ୍ସ ଲିଙ୍କକୁ ନେଇ ସ୍ବର ଉଠାଇଥିବା କଙ୍ଗନାଙ୍କ ସମର୍ଥନ​‌ରେ ଆମେ ଅଛୁ ବୋଲି କହିଛନ୍ତି ବିଧାୟକ ଇନ୍ଦର ସିଂହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.