‘ଫାଇଦା ପାଇଁ କଂଗ୍ରେସ୍ ମୋ ନାଁ ଜପେ’- ହାଇଦ୍ରାବାଦ ନିର୍ବାଚନକୁ ନେଇ କଂଗ୍ରେସ୍ ଉପରେ ଏମିତି ବର୍ଷିଲେ କଙ୍ଗନା
5/12/2020 at 3:38 PM

ମୁମ୍ବାଇ ୫/୧୨: କଙ୍ଗନା ରଣୌତ ଗତ କିଛି ଦିନରୁ ଚର୍ଚ୍ଚାରେ ରହିଛନ୍ତି। କିଛି ଦିନ ତଳେ ଗାୟକ ଏବଂ ଅଭିନେତା ଦିଲଜିତ ଦୋସାଞ୍ଝଙ୍କ ସହ ତାଙ୍କର ଟ୍ବିଟର ଯୁଦ୍ଧ ଚର୍ଚ୍ଚାରେ ରହିଥିଲା। ଏବେ କଙ୍ଗନା ଗ୍ରେଟର ହାଇଦ୍ରାବାଦ ମ୍ୟୁନସିପାଲ କର୍ପୋରେସନ ଫଳାଫଳକୁ ନେଇ କଂଗ୍ରେସ୍ ଉପରେ ବର୍ଷିଛନ୍ତି।

କଙ୍ଗନା ଟ୍ବିଟ୍ କରି ଲେଖିଛନ୍ତି ଯେ,‘ପ୍ରିୟ କଂଗ୍ରେସ୍,ଆପଣଙ୍କ ସରକାର ଯେଉଁଠାରେ ଶାସନ କରୁଛନ୍ତି ସେଠାରେ ମାମଲା ପୂରା ବିଗିଡ଼ି ଯାଇଛି। ପୂରା ଦିନ କଙ୍ଗନା କଙ୍ଗନା କରୁଛନ୍ତି ଏପରି କରିବା ଦ୍ବାରା ଆପଣଙ୍କୁ କୌଣସି ସାହାଯ୍ୟ ମିଳିବ ନାହିଁ,କିନ୍ତୁ ଆପଣ ନୋଟିସ୍ କରିଛନ୍ତି କି ଭାଜପା ନିଜର ସବୁଠୁ କଠିନ ଆଲୋଚକଙ୍କ ହୃଦୟରେ ରାଜ କରୁଛି ଏବଂ ନୂଆ କ୍ଷେତ୍ରରେ ପ୍ରବେଶ କରୁଛି।

ଗ୍ରେଟର ହାଇଦ୍ରାବାଦ ମ୍ୟୁନିସପାଲ କର୍ପୋରେସନ ପାଇଁ ଶୁକ୍ରବାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଭୋଟ ଗଣନାର ପ୍ରାରମ୍ଭିକ ତତ୍ପରତାରେ ଭାଜପା ସବୁଠୁ ଆଗରେ ଅଛି। କଙ୍ଗନା ଏକ ଟ୍ବିଟକୁ ସେୟାର କରି ନିଜର ଏହି ପ୍ରତିକ୍ରିୟା ଦେଇଛନ୍ତି।

ଚାଷୀ ଆନ୍ଦୋଳନକୁ ନେଇ କଙ୍ଗନା ରଣୌତ ଏବଂ ଦିଲଜିତ ଦୋସାଞ୍ଝଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଖୁବ୍ ହଇଚଇ ସୃଷ୍ଟି ହୋଇଛି। ସୋସିଆଲ୍ ମିଡିଆରେ ଚାରିଆଡ଼େ ବାସ୍ ଏହି ୨ଜଣଙ୍କୁ ନେଇ ଚର୍ଚ୍ଚା ହେଉଛି। କଙ୍ଗନା ନିଜର ଏକ ଟ୍ବିଟରେ ଦାବି କରିଥିଲେ ଯେ ଶାହିନ ବାଗର ବିଲକିସ ଦାଦି ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହା ବ୍ୟତୀତ ସେ ଲେଖିଥିଲେ ଯେ ସେ ୧୦୦ଟଙ୍କା ପାଇଁ ଯେ କୌଣସି ସ୍ଥାନକୁ ମଧ୍ୟ ଯାଇ ପାରିବେ। କଙ୍ଗନାଙ୍କ ଏହି ଟ୍ବିଟ୍ ଯୋଗୁଁ ଖୁବ୍ ହଇଚଇ ସୃଷ୍ଟି ହୋଇଥିଲା ଏବଂ ଦିଲଜିତ ଦୋସାଞ୍ଝ ଏହାକୁ ନେଇ ତାଙ୍କ ଉପରେ ବର୍ଷିଥିଲେ।

ଗୋଟିଏ ପଟେ କଙ୍ଗନା ଦିଲଜିତଙ୍କୁ କରଣ ଜୋହରଙ୍କ ପୋଷା କୁକୁର କହିଥିବାବେଳେ ଦିଲଜିତ କଙ୍ଗନାଙ୍କୁ କହିଥିଲେ ଯେ ତାଙ୍କୁ କେହି କଥା କହିବାକୁ ଶିଖାଇ ନାହାନ୍ତି। ଉଭୟଙ୍କ ମଧ୍ୟରେ କଥା ଏତେ ବଢ଼ିଯାଇଥିଲା ଯେ ଏହା ଭୟଙ୍କର ରୂପ ଧାରଣ କରିଥିଲା। ଏହା ପରେ ଦୁହେଁ ପରସ୍ପର ପାଇଁ ଅଶ୍ଳୀଳ ଭାଷା ବ୍ୟବହାର କରିଥିଲେ।
