ବଡ ପରଦାରେ ପୁଣିଥରେ ଯୋଦ୍ଧା ରୂପେ ନଜର ଆସିବେ କଙ୍ଗନା
14/01/2021 at 3:37 PM

ମୁମ୍ବାଇ ୧୪/୦୧ : ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଘେରି ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ପୁଣିଥରେ ବଡ ପରଦାରେ ଯୋଦ୍ଧା ରୂପରେ ନଜର ଆସିବେ। ଏନେଇ ଅଭିନେତ୍ରୀ ନିଜେ ଘୋଷଣା କରିଛନ୍ତି। ସେ କହିଛନ୍ତି, ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘ମଣିକର୍ଣ୍ଣିକା-ଦ କ୍ୱିନ୍ ଅଫ୍ ଝାନସୀ’ର ଫ୍ରାଞ୍ଚାଇସର ଆଗାମୀ ସିରିଜ। ଏହି ଫିଲ୍ମର ଟାଇଟଲ ‘ମଣିକର୍ଣ୍ଣିକା ରିଟର୍ନସ-ଦ ଲେଡିଜ୍ ଅଫ୍ ଦିଦ୍ଦା’।

ରାଣୀ ଦିଦ୍ଦା ଅବିଭାଜିତ କାଶ୍ମୀରର ଜଣେ ବହାଦୁର ରାଣୀ ଭାବେ ପରିଚିତ ଯିଏ ଦିବ୍ୟାଙ୍ଗ ହୋଇ ମଧ୍ୟ ମୁଗଲ ଆକ୍ରମଣକାରୀ ଶାସକ ମହମୁଦ ଗଜନବିଙ୍କୁ ଦୁଇଥର ଯୁଦ୍ଧରେ ପରାସ୍ତ କରିଥିଲେ। ଆଜି ମଧ୍ୟ ଜଣେ ବୁଦ୍ଧିମତୀ ଵୀରାଂଗନା ଭାବେ ସେ ପରିଚିତ।

କଙ୍ଗନାଙ୍କ ଆଗାମୀ ଫିଲ୍ମ ‘ଥଲାଇବି’ରେ ସେ ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମର ସୁଟିଂ ଶେଷ ହୋଇସାରିଛି। ବର୍ତ୍ତମାନ ସେ ଆକ୍ସନ ଫିଲ୍ମ ‘ଧାକଡ’ ଓ ‘ତେଜସ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। କଙ୍ଗନା କହିଛନ୍ତି ଯେ ବାକି ଫିଲ୍ମର ସୁଟିଂ ପରେ ହିଁ ସେ ‘ମଣିକର୍ଣ୍ଣିକା ରିଟର୍ନସ’ର ସୁଟିଂ ଆରମ୍ଭ କରିବେ। ସୂତ୍ର ଅନୁଯାୟୀ ଏହି ଫିଲ୍ମର ସୁଟିଂ ୨୦୨୨ ଜାନୁଆରୀରେ ଆରମ୍ଭ ହେବ।

ଏହି ଫିଲ୍ମର ପ୍ରଯୋଜନା ଦେଉଛନ୍ତି କମଲ ଜୈନ ଯିଏ ମଣିକର୍ଣ୍ଣିକାର ନିର୍ଦ୍ଦେଶନା ଦେଇଥିଲେ। ଗତ ସପ୍ତାହରେ କଙ୍ଗନା ଓ କମଲ ଜୈନ ଫିଲ୍ମର ସ୍କ୍ରିପ୍ଟକୁ ମଞ୍ଜୁରୀ ଦେଇଥିଲେ। ପ୍ରଥମ ଫିଲ୍ମରୁ ଅପେକ୍ଷା ରିଟର୍ନର ବଜେଟ ଅଧିକ ଏବଂ ଭବ୍ୟ। ତେବେ ଫିଲ୍ମର ନିର୍ଦ୍ଦେଶନା କଙ୍ଗନା ନିଜେ କରିବେ ନା ଆଉ କିଏ କରିବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।