ମନାଲିରେ ନିଜର କ୍ୟାଫେ ଓ ରେଷ୍ଟୁରାଣ୍ଟ ଖୋଲିବେ କଙ୍ଗନା: ଦେଖିଲେ ଜମି
23/02/2021 at 5:06 PM

ମନାଲି ୨୩/୦୨ : ସାରା ଦେଶରେ ଗତ କିଛି ମାସ ହେଲା ଚର୍ଚ୍ଚାରେ ରହି ଆସୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ରେଷ୍ଟର୍ନ ଖୋଲିବାକୁ ଯାଉଛନ୍ତି। ମନାଲିରେ ନିଜର ଘର ତିଆରି କରିବା ପରେ ସେ ସେଠାରେ କ୍ୟାଫେ ଓ ରେସ୍ତୋରାଁ ଖୋଲିବେ। କଙ୍ଗନା ଏଠାରେ ନିଜର ପ୍ରଥମ କ୍ୟାଫେ ଓ ରେସ୍ତୋରାଁ ଖୋଲିବେ। ମଙ୍ଗଳବାର ଦିନ ସେ ମନାଲି ନିକଟରେ ରେସ୍ତୋରାଁ ପାଇଁ ଜାଗା ଦେଖିଛନ୍ତି। ନିଜ ଭଉଣୀ ଓ ଟିମ ସହ ଯାଇ ସେ ଜାଗା ଦେଖିଛନ୍ତି। ଖୁବ ଶୀଘ୍ର କ୍ୟାଫେ ନିର୍ମାଣ କାମ ଆରମ୍ଭ ହେବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, କଙ୍ଗନା ମନାଲିରେ ଘର ତିଆରି କରିଛନ୍ତି। ତାଙ୍କ ଘର ୩୦ କୋଟି ଟଙ୍କାର ବୋଲି କୁହାଯାଉଛି। କଙ୍ଗନା ଏଠାରେ ୧୦ କୋଟି ଟଙ୍କାରେ ଜମି କିଣିଥିଲେ ଓ ପରେ ଘର ତିଆରି କରିଛନ୍ତି। ଘର ତିଆରି କରିବାରେ ସେ ୨୦ କୋଟି ଖର୍ଚ୍ଚ କରିଛନ୍ତି ବୋଲି କୁହାଯାଉଛି। କଙ୍ଗନାଙ୍କ ଏହି ଲଗ୍ଜରୀ ବଙ୍ଗଳାରେ ୮ଟି ବେଡରୁମ ଅଛି। ତାଛଡା ଡାଇନିଂ ରୁମ, ଫାୟାର ପ୍ଲେସ, ଜିମ, ଯୋଗ ରୁମ ମଧ୍ୟ ଅଛି।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଓ ମୁମ୍ବାଇରେ ବିଏମସି ତାଙ୍କ ଅଫିସ ଭାଙ୍ଗିବା ପରେ ଲଗାତାର ଚର୍ଚ୍ଚାରେ ଅଛନ୍ତି। ସେ ପ୍ରତିଦିନ କିଛି ନା କିଛି ବୟାନ ଦେଇଥାନ୍ତି। ଗତ ୬ ମାସ ହେଲା ସେ ଲଗାତାର ଗଣମାଧ୍ୟମ ଚର୍ଚ୍ଚାରେ ଅଛନ୍ତି।

୧୯୮୭ ମସିହା ମାର୍ଚ୍ଚ ୨୩ରେ ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲା ସୁରଜପୁରରେ ଜନ୍ମ ହୋଇଥିବା କଙ୍ଗନା ୨୦୦୬ ମସିହାରେ ବଲିଉଡ ଫିଲ୍ମ ‘ଗ୍ୟାଙ୍ଗଷ୍ଟର’ରୁ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ‘ଫ୍ୟାସନ୍’, ‘ୱୋ ଲହ୍ମେ’, ‘ଲାଇଫ୍ ଇନ୍ ମେଟ୍ରୋ’, ‘ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ’, ‘ତନୁ ୱେଡ୍ସ ମନୁ’, ‘କ୍ୱିନ୍’, ‘ମଣିକର୍ଣ୍ଣିକା’ ଭଳି ଅନେକ ସୁପରହିଟ୍ ଫିଲ୍ମ କରିଛନ୍ତି।