ପାସପୋର୍ଟ ନବୀକରଣ ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଙ୍ଗନା

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ ୧୫/୦୬: କଙ୍ଗନା ରଣାୱତ ଏବଂ ବିବାଦର ପୁରୁଣା ସମ୍ପର୍କ ରହିଛି । ଫିଲ୍ମ ହେଉ କିମ୍ବା ବ୍ୟକ୍ତିଗତ ଜୀବନ, କୌଣସି ନା କୌଣସି ​​ଗୋଟିଏ କାରଣ ପାଇଁ, କଙ୍ଗନା ସର୍ବଦା ଚର୍ଚ୍ଚାକୁ ଆସିଥାନ୍ତି । ବର୍ତ୍ତମାନ ସେ ଏହି କାରଣରୁ ଚର୍ଚ୍ଚାକୁ ଆସିଛନ୍ତି ଯେ ସେ ପାସପୋର୍ଟ ନବୀକରଣ ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ପାସପୋର୍ଟ ନବୀକରଣ ଉପରେ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଆପତ୍ତି କରିଛି।

କଙ୍ଗନାଙ୍କୁ ସୁଟିଂ ପାଇଁ ବିଦେଶ ଯିବାର ଅଛି । ତାଙ୍କର ପାସପୋର୍ଟ ୧୫ ସେପ୍ଟେମ୍ବରରେ ଏକ୍ସପାୟର୍ ହୋଇଯିବ । ସେ ସୋମବାର ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହାର ଶୁଣାଣି ମଙ୍ଗଳବାର ଦିନ ହେବ। ପ୍ରକୃତରେ, ବାନ୍ଦ୍ରା ପୋଲିସ କଙ୍ଗନା ବିରୋଧରେ ଦେଶଦ୍ରୋହ ତଥା ଉଦ୍ଦେଶ୍ୟମୂଳକ ଭାବରେ ଘୃଣା ବିସ୍ତାର କରୁଥିବା ପାଇଁ ଏକ ଏଫଆଇଆର୍ ପଞ୍ଜିକୃତ କରିଥିଲା। ବର୍ତ୍ତମାନ ଏହି ଏଫଆଇଆର କାରଣରୁ ପାସପୋର୍ଟ ବିଭାଗ ନବୀକରଣ କରିବାକୁ ଆପତ୍ତି କରିଛି।

ଓକିଲ ରିଜୱାନ ସିଦ୍ଦିକିଙ୍କ ମାଧ୍ୟମରେ କଙ୍ଗନା କହିଛନ୍ତି ଯେ ତାଙ୍କୁ ଜୁନ୍ ୧୫ ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ବୁଡାପେଷ୍ଟ ଏବଂ ହଙ୍ଗରୀ ଗସ୍ତ କରିବାକୁ ପଡିବ। ଫିଲ୍ମ "ଧାକାଡ" ର ଦ୍ୱିତୀୟ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ସୁଟିଂ କରାଯାଇ ନାହିଁ। 'ଏଫ୍ଆଇଆର ପଞ୍ଜୀକରଣ ହେତୁ ପାସପୋର୍ଟ ନବୀକରଣକୁ ନେଇ ପାସପୋର୍ଟ ବିଭାଗ ଆପତ୍ତି କରିଛି। ବିଦେଶରେ ସୁଟିଂ ପାଇଁ ପ୍ରଡକ୍ସନ୍ ହାଉସ୍ ଏକ ବଡ଼ ବିନିଯୋଗ କରିଛି ଯେଉଁଠାରେ ତାଙ୍କୁ ଜଣେ ଅଭିନେତ୍ରୀ ଭାବରେ ଅଂଶଗ୍ରହଣ କରିବାକୁ ପଡିବ । ତାଙ୍କ ପାସପୋର୍ଟ ନବୀକରଣ ହେବା ଜରୁରୀ ଅଟେ।

ଗତ ବର୍ଷ ଅକ୍ଟୋବରରେ, ମୁନାୱର ଅଲି ସୟିଦଙ୍କ ଅଭିଯୋଗରେ ବାନ୍ଦ୍ରା ପୋଲିସ ଦ୍ୱାରା କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲିଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଥିଲା। ମୁନାୱର୍ ଜଣେ ବଲିଉଡ କାଷ୍ଟିଂ ନିର୍ଦ୍ଦେଶକ ଏବଂ ଫିଟନେସ୍ ଟ୍ରେନର୍ । କଙ୍ଗନା ଏବଂ ରଙ୍ଗୋଲିଙ୍କ ଟ୍ୱିଟ୍ ଏବଂ ବିବୃତ୍ତିକୁ ଉଦ୍ଧୃତ କରି ସେ ଅଭିଯୋଗ କରିଥିଲେ ଯେ ବଲିଉଡକୁ ବଦନାମ କରାଯାଉଛି ଏବଂ ଦୁଇ ସମ୍ପ୍ରଦାୟ ମଧ୍ୟରେ ଘୃଣା ବ୍ୟାପୁଛି। ବାନ୍ଦ୍ରା ପୋଲିସ କଙ୍ଗନା ଏବଂ ତାଙ୍କ ଭଉଣୀଙ୍କ ବିରୁଦ୍ଧରେ ଆଇପିସିର ଧାରା ୧୫୩ , ୨୯୫ ଏବଂ ୧୨୪ ଅନୁଯାୟୀ ଏକ ଏଫଆଇଆର ପଞ୍ଜିକରଣ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.