ମୁମ୍ବାଇ ୧୧/୦୯: ଦିନକୁ ଦିନ କଙ୍ଗନାଙ୍କ ଅସୁବିଧା କମିବା ବଦଳର ବଢ଼ି ଚାଲିଛି। ପ୍ରଥମେ ବିଏମସି କଙ୍ଗନାଙ୍କ ଅଫିସକୁ ଭାଙ୍ଗିଲା ଆଉ ଏବେ ଡ୍ରଗ୍ସ ମାମଲାର ତଦନ୍ତ ଆରମ୍ଭ କରିଛି। ଏ ସବୁ ଭିତରେ ମହାରାଷ୍ଟ୍ର ସରକାର ଓ ଅଭିନେତ୍ରୀ କଙ୍ଗନାଙ୍କ ମଧ୍ୟରେ ଏବେ ବି ବିବାଦ ଜାରି ରହିଛି। ଏବେ ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ ଡ୍ରଗ୍ସ ମାମଲାର ତଦନ୍ତ ଆରମ୍ଭ କରିଛି। ମାମଲାର ତଦନ୍ତ ପାଇଁ ମହରାଷ୍ଟ୍ର ସରକାରଙ୍କ ପକ୍ଷରୁ ମୁମ୍ବାଇ ପୋଲିସକୁ ଅନୁମତି ମିଳିଛି। ଏବେ ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏବେ ସୁଦ୍ଧା ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ ଯେ ମୁମ୍ବାଇ ପୋଲିସ୍ ଏ ନେଇ କିଛି ସ୍ବତନ୍ତ୍ର ଟିମ୍ ଗଠନ କରିଛି କି ନାହିଁ। ମାମଲା ନାରକୋଟିକ୍ସକୁ ହସ୍ତାନର କରାଯାଇଛି କି ନାହିଁ ସେ କଥା ମଧ୍ୟ ଜଣାପଡ଼ି ନାହିଁ।
ପ୍ରଥମେ ରାଜ୍ୟର ମନ୍ତ୍ରୀ ଅନିଲ ଦେଶମୁଖ କଙ୍ଗନାଙ୍କ ବିରୋଧରେ ଡ୍ରଗ୍ସ ମାମଲା ଉଠାଇଥିଲେ। ସେ କଙ୍ଗନାଙ୍କ ପୂର୍ବତନ ବଏଫ୍ରେଣ୍ଡ ଓ ଅଭିନେତା ଅଧ୍ୟୟନ ସୁମନଙ୍କ ଗୋଟିଏ ପୁରୁଣା ସାକ୍ଷାତକାରକୁ ଭିତି କରି ଏହି ମାମଲା ଉଠାଇ ଥିଲେ। ସେହି ସାକ୍ଷାତକାରରେ ଅଧ୍ୟୟନ ସୁମନ କଙ୍ଗନା ଡ୍ରଗ୍ସ ନେଉଥିବା ଦାବି କରିଥିଲେ।
ଅନ୍ୟପକ୍ଷେ କେନ୍ଦ୍ର ମନ୍ତ୍ରୀ ରାମଦାସ ଉଠାବଲେ ଏବେ କଙ୍ଗନାଙ୍କ ସପକ୍ଷରେ ବାହାରିଛନ୍ତି। ସେ କହିଛନ୍ତି ‘ମୁମ୍ବାଇରେ କଙ୍ଗନାଙ୍କ ସମ୍ପତି ନଷ୍ଟ କରିବା ମାମଲାରେ ମହାରାଷ୍ଟ୍ର ରାଜ୍ୟପାଳ ସହ ଆଜି ଦେଖା କରିଛି। ସେ ଦାବି କରିଛି ଯେ ତାଙ୍କ କ୍ଷତି ପାଇଁ ତାଙ୍କୁ ସହାୟତା ରାଶି ମିଳିବା ଦରକାର।ଯେଉଁଭଳି ଭାବେ ବିଏମସି ତାଙ୍କ ଅଫିସ ଭଙ୍ଗାରୁଜା କଲା, ତାହା ଆଦୌ ଠିକ୍ ନ ଥିଲା। ତାଙ୍କୁ ନ୍ୟାୟ ମିଳିବା ଦରକାର ।’