ବିଜେଡିରୁ ଇସ୍ତଫା ଦେଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଏବଂ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ

Published By : Prameya-News7 Bureau | March 20, 2019 IST

ଭୁବନେଶ୍ବର ୨୦|୩: ବିଜେଡି ଟିକେଟ୍ ରୁ ବଞ୍ଚିତ ଟିକେଟ୍ ଆଶାୟୀ ଜଣଙ୍କ ପରେ ଜଣେ ଦଳ ଛାଡୁଛନ୍ତି । ଏଭଳି ସ୍ଥିତିରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଛନ୍ତି । ତାଙ୍କୁ ଦଳୀୟ ଟିକେଟ୍ ମିଳିନଥିବାରୁ ସେ ଅସନ୍ତୁଷ୍ଟ ଥିଲେ ।  

ଅନ୍ୟପଟେ ନୟାଗଡ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି । ପୂର୍ଣ୍ଣଚନ୍ଦ୍ର ଦଳୀୟ ଟିକଟ ନମିଳିବା କାରଣରୁ ଅସନ୍ତୁଷ୍ଟ ଥିଲେ । ଗତକାଲି କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓଙ୍କୁ ମଧ୍ୟ ଟିକେଟ୍ ନମିଳିବାରୁ ସେ ଇସ୍ତଫା ଦେଇଥିଲେ । ଜଣେ ପରେ ଜଣେ ନେତା ବିଜେଡି ଦଳରୁ ଇସ୍ତଫା ଦେଇଚାଲିଥିବାରୁ ଏବେ ବିଜେଡି ସୁପ୍ରିମୋଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି ।

ଦଳ ଛାଡିବା ପରେ ପ୍ରତ୍ୟୁଷା ନୟାଗଡରୁ ନିର୍ବାଚନ ଲଢିବେ ବୋଲି କହିଛନ୍ତି । ଟିକଟ ଘୋଷଣା ପୂର୍ବରୁ ପ୍ରତ୍ୟୁଷା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ନୟାଗଡରୁ ପ୍ରାର୍ଥୀ ହେବେ ବୋଲି କହିଥିଲେ । ଏଥିସହ ନୟାଗଡ ବିଧାୟକ ଓ ଯୁବ ନେତା ଅରୁଣ ସାହୁଙ୍କ ବିରୋଧରେ ମଧ୍ୟ ସୂଚନା ଦେଇଥିଲେ । ତେବେ ଏହା ସତ୍ତ୍ବେ ଟିକଟ ନପାଇବାରୁ ସେ ବିଜେଡି ଛାଡିଛନ୍ତି । ପ୍ରତ୍ୟୁଷା ଯଦି ନୟାଗଡରୁ ନିର୍ବାଚନ ଲଢନ୍ତି ତାହେଲେ ଅରୁମ ସାହୁଙ୍କ ପାଇଁ ଅଡୁଆ ସୃଷ୍ଟି ହୋଇପାରେ । ତେବେ ପ୍ରତ୍ୟୁଷା ସ୍ବାଧୀନ ଭାବେ ନିର୍ବାଚନ ଲଢିବେ ନା ଅନ୍ୟ କୌଣସି ଦଳକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟପକ୍ଷରେ ଏବେ ବି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୬୩ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୯ଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଚୟନ ଝୁଲି ରହିଥିବାରୁ ଆଶାୟୀମାନେ ମଇଦାନକୁ ପ୍ରଚାର ପାଇଁ ଯାଇ ପାରୁନାହାନ୍ତି । ଆଗକୁ ଆହୁରି ୧୨ଟି ଲୋକସଭା ଓ ୯୩ଟି ବିଧାନସଭା ଆସନ ଲାଗି ଟିକେଟ୍ ଘୋଷଣା ହେବ । ଏହାପରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମହଲରେ କିଭଳି ପ୍ରତିକ୍ରିୟା ସୃଷ୍ଟି ହେବ ତାଉପରେ ଏବେ ସମସ୍ତଙ୍କ ନଜର ରହିଛି । ଆସନ୍ତାକାଲି ବାକି ୯ଟି ବିଧାନସଭାର ପ୍ରାର୍ଥୀ ଘୋଷଣା ହେବ ବୋଲି ଆଶା କରାଯାଉଛି ।

{"id":95247}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.