ଗୁଜରାଟକୁ ଦାଦନ ଖଟିବାକୁ ଯାଇଥିଲେ କନ୍ଧମାଳର ଦୁଇ ଭଉଣୀ : ବଡ ଭଉଣୀ ଫେରିଲା, ସାନର ମିଳୁନି ପତ୍ତା- ପାଗଳ ଭଳି ଖୋଜୁଛି ମା
20/12/2018 at 6:19 PM

ଫୁଲବାଣୀ ୨୦|୧୨:ପେଟ ଚାଖଣ୍ଡକ ପାଇଁ ଗୁଜରାଟକୁ ଦାଦନ ଖଟିବାକୁ ଯାଇଥିଲେ କନ୍ଧମାଳ ଦୁଗୁଡିପାରୀ ଗାଁର ଦୁଇ ଭଉଣୀ। ଗୋପାଳ ଫିସେରୀ ନାମକ ଏକ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରୁଥଲେ । ତେବେ ବଡ ଭଉଣୀ ଗାଁକୁ ଫେରି ଆସିଛି । ହେଲେ ସାନ ଭଉଣୀର ପତ୍ତା ନାହିଁ । ବହୁ ଖୋଜାଖୋଜା ପରେ ନିରାଶ ହେବା ପରେ ଝିଅକୁ ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛି ମା ।
ଦୁଇ ଓଳି ଦୁଇ ମୁଠାଖାଇବା ଯୋଗାଡ଼ ସହ ଘରେ ଥିବା ମା’ ପାଖକୁ ଟଙ୍କା ପଠାଇବେ । ଏଇ ଆଶାରେ କନ୍ଧମାଳ ଜି.ଉଦୟଗିରି ଦୁଗୁଡିପାରୀ ଗାଁର ଦୁଇ ଭଉଣୀ ରସ୍ତିମା ପ୍ରଧାନ ଓ ସଚିନା ପ୍ରଧାନ ଗଲେ ଗୁଜରାଟ । ଗିରି ସୋମନାଥ ଜିଲ୍ଲାର ଓନାରେଥିବା ଗୋପାଳ ଫିସେରୀରେ କାମ କରୁଥିଲେ ଦି ଭଉଣୀ ।

ଗତ ନଭେମ୍ବର ୨୭ ରେ ଦୁଇଭଉଣୀ କାମରୁ ଫେରି ଶୋଇଥିଲେ। ବଡ଼ ଭଉଣୀ ଉଠିଲା ବେଳକୁ ସାନ ଭଉଣୀ ସଚିନା ପାଖରେ ନାହିଁ । ବହୁତ ଖୋଜାଖୋଜି କରିବା ପରେ ବି ମିଳିଲାନି କୌଣସି ଖୋଜ ଖବର । ଶେଷରେ କଂପାନୀର ସୁପରଭାଇଜରଙ୍କୁ ଫୋନ୍ କରି ଜଣାଇଲେ ରସ୍ତିମା । ଖବର ପାଇ ବାପା-ମା ଗୁଜୁରାଟ ଗଲେ । ସୁପରଭାଇଜରଙ୍କୁ ପଚରାଉଚରା କଲେ । କଂପାନୀମାଲିକଙ୍କୁ ବି ଯୋଗାଯୋଗ କଲେ । ତଥାପି କିଛି ଲାଭ ହେଲାନି, ନିରାଶ ହୋଇ ବଡ ଝିଅକୁ ସାଥୀରେ ନେଇ ଫେରିଲେ ।
ଝିଅକୁ ନପାଇ ମା’ଏବେ ଭୋକ ଶୋଷ ଭୁଲି ପାଗଳପ୍ରାୟ ହୋଇଗଲେଣି । ସଚିନା ଜୀବିତ କି ନାହିଁ ସେ କଥା ଜାଣିବେ କେମିତି? ଝିଅକୁ ଫେରାଇ ଆଣିବା ଲାଗି ଜିଲ୍ଲା ଶ୍ରମ ଅଧତ୍କାରୀଙ୍କ ନିକଟରେ ଗୁହାରୀ କରିଥିଲେ । ଅଭିଯୋଗର ତଦନ୍ତ ଚାଲିଛି। ସଚିନାକୁ ଯେପରି ଅତି ଶୀଘ୍ର ଫେରାଇ ଆଣି ହେବ ଗୁଜୁରାଟ ପୋଲିସ ପ୍ରଶାସନ ସହ ଯୋଗାଯୋଗ କରୁଥିବା କଥା କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।
ଏତେ ଯୋଜନା ପରେ ବି କାମ ଧନ୍ଦା ନପାଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ହେଲେ କିଏ ନିର୍ଯାତନା ସହି ସହି ଫେରୁଛି ତ ଆଉ କିହାର ମୃତ ଦେହ ଆସୁଛି। ପୁଣି କାହାର କିଛି ଖୋଜ ଖବର ନାହିଁ…