ଜୁନ୍ ସରିବାକୁ ବସିଲାଣି ହେଲେ ବର୍ଷାର ଦେଖାନାହିଁ, କନ୍ଧମାଳରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ
21/06/2019 at 4:39 PM

ଫୁଲବାଣୀ ୨୧|୬: ଜୁନ୍ ସରିବାକୁ ବସିଲାଣି । ହେଲେ ବର୍ଷାର ଦେଖାନାହିଁ । ବର୍ଷାକୁ ଚାହିଁ ଚାହିଁ ଚାଷ କାମ ବି ବାଧାପ୍ରାପ୍ତ ହେଲାଣି । କନ୍ଧମାଳର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।କେତେବେଳେ ହଳ କରିବେ, ତଳି ପକାଇବେ ଏବେ ସେଇ ଚିନ୍ତା ଘାରିଛି ସମସ୍ତଙ୍କୁ ।

ଚିନ୍ତାରେ କନ୍ଧମାଳର ଚାଷୀ । ଜୁନ୍ ଶେଷ ହେବାକୁ ବସିଲାଣି । ବର୍ଷା ହବ ହବ ବୋଲି ଏତକ ସମୟ ଅପେକ୍ଷାରେ ଗଲାଣି । ଆଉ ବର୍ଷାକୁ ଚାହିଁ ଚାଷ କାମ କରିଥିବା ଚାଷୀ ଏବେ ହତାଶ । ବର୍ଷା ହେଲେ ଜମି ହଳ କରିବେ, ତଳି ପକାଇବେ ବୋଲି ଚାହିଁ ବସିଥିଲା ଚାଷୀ । ହେଲେ ମୌସୁମୀ ଶୀଘ୍ର ଆସିବ ଆସିବ କହି ଡେରି କରିଦେଲା । ଜୁନ୍ ମାସରେ ଯେତିକି ବର୍ଷା ହେବାକଥା ସେଥିରୁ ମାତ୍ର ୩୩ ପ୍ରତିଶତ ବର୍ଷା ହୋଇଛି ।

ଚାଷ ଜମିରେ ଏବେ ଗାଇ ଚରୁଛନ୍ତି । ହଳ ହୋଇନି ଏଯାଏଁ। ଯୁଆଡେ ଚାହିଁଲେ ଜମି ପଡିଆ ପଡିଛି । କାଳବୈଶାଖୀ ବର୍ଷାରେ ହୋଇଥିବାରୁ କାଁ ଭାଁ ସ୍ଥାନରେ ଜମିରେ ହଳ ବୁଲାଉଛି ଚାଷୀ । ଚଳିତ ବର୍ଷ ଜିଲ୍ଲାରେ ୧ ଲକ୍ଷ ୨୭ ହଜାର ହେକ୍ଟର ଚାଷ ଜମିରେ ଧାନ ଓ ଅନ୍ୟାନ୍ୟ ଫସଲ କରିବାକୁ ଲକ୍ଷ୍ୟ ରଖିଛି କୃଷି ବିଭାଗ । ଏଥିପାଇଁ ବିହନ ମଧ୍ୟ ବିଭାଗ ପକ୍ଷରୁ ଚାଷୀଙ୍କୁ ଦିଆଯାଇଛି । ହେଲେ ଧୋକ୍କା ଦେଇଛି ବର୍ଷା ।

ତେବେ ଦିନେ ଦୁଇ ଦିନ ଭିତରେ ବର୍ଷା ହେବା ସହ ଚାଷୀ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି ।