ମଦମୁକ୍ତ ହେଲା କନ୍ଧମାଳ : ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଲେ କତିଙ୍ଗିଆ ପଞ୍ଚାୟତବାସୀ

Published By : Prameya-News7 Bureau | October 04, 2019 IST

କନ୍ଧମାଳ ୪/୧୦: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକର କତିଙ୍ଗିଆ ପଞ୍ଚାୟତ । ଦିନ ଥିଲା ଏହି ପଞ୍ଚାୟତରେ ବି ଲୋକେ ମଦ ପିଉଥିଲେ । ଆପଣ ଭାବୁଥିବେ ଆଦିବାସୀ ବହୁଳ କନ୍ଧମାଳରେ ଯୋଉଠି ମହୁଲି ମଦର ବହୁଳ ପ୍ରଚଳନ ଦେଖିବାକୁ ମିଳେ, ସେଠି ଏଇଟା କ’ଣ ବଡ଼ କଥା । ହେଲେ ୟା ଭିତରେ ବଡ଼ କଥା ହେଉଛି ଏଠି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଓ୍ବାର୍ଡ଼ ମେମ୍ବର, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଗାଁ ଲୋକେ ସମସ୍ତେ ମିଶି ପଞ୍ଚାୟତକୁ ମଦମୁକ୍ତ କରିବାରେ ସଫଳ ହୋଇଛନ୍ତି । ଯାହା ଅନ୍ୟ ପଞ୍ଚାୟତ ପାଇଁ ଉଦାହରଣ ପାଲଟିଛି ।

{"id":166258}

ସବୁ ଅନର୍ଥର କାରଣ ଥିଲା ମଦ । ଦିନ ସାରା ଖଟିବା ପରେ ପାଇଥିବା ମଜୁରୀ ଗଣ୍ଡାକ ମଦଭାଟିରେ ଯାଉଥିଲା । ମଦ ପାଇଁ ଘରେ ଘରେ ବଢ଼ୁଥିଲା ଅଶାନ୍ତି । ସ୍ବାମୀ ମଦ ପିଇ ମାତାଲ ହେଉଥିବା ବେଳେ ସ୍ତ୍ରୀ ପିଲାଙ୍କୁ ଉପାସ ରହିବାକୁ ପଡ଼ୁଥିଲା । ହେଲେ ଏବେ ଆଉ ସେ ସମସ୍ୟା ନାହିଁ । ଏଠି ଲୋକେ ଖୁସିରେ ନିଜ କାମ ନିଜେ କରୁଛନ୍ତି । କିଏ ବିଲରେ ଫସଲ ଅମଳ କରିବାକୁ ଝାଳ ବୁହାଉଛି ତ ଆଉ କିଏ ଘର ଅଗଣା, ଦାଣ୍ଡ ବାରଣ୍ଡାରେ ବସି ରୋଜଗାରର ମାଧ୍ୟମ ସାଉଣ୍ଟିଛନ୍ତି । ଘରେ ଆଉ ଗଣ୍ଡଗୋଳ ହେଉନି । ନିଜ ସୁଖ ଦୁଃଖକୁ ନେଇ ଗାଁରେ ଶାନ୍ତିରେ ବଞ୍ଚୁଛନ୍ତି ଲୋକେ । କାରଣ ହେଲା ମଦମୁକ୍ତ ହୋଇଛି ପୂରା ପଞ୍ଚାୟତ । ସରପଞ୍ଚ ଠାରୁ ଆରମ୍ଭ କରି ଓ୍ବାର୍ଡ଼ ମେମ୍ବର, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଗାଁ ଲୋକେ ସମସ୍ତେ ଚାହିଁଲେ, ଆଉ ମଦମୁକ୍ତ ହୋଇପାରିଲା କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ କତିଙ୍ଗିଆ ପଞ୍ଚାୟତ ।

{"id":166259}

ଆଉ ମଦ ନିଶାରେ ପଇସା ଉଡ଼ୁନି । ପଞ୍ଚାୟତର ଲୋକେ ଯିଏ ଯାହା କାମଧନ୍ଦା କରି ଏବେ ଭବିଷ୍ୟତ ପାଇଁ ସଞ୍ଚୟ କରିବା ଶିଖିଲେଣି । ଲୋକଙ୍କର ଆର୍ଥିକ ଅବସ୍ଥାରେ ଧୀରେ ଧୀରେ ଉନ୍ନତି ହେଲାଣି । ଏକା ଦିନେକେ ଏସବୁ କିଛି ସମ୍ଭବ ହୋଇନି । ଏଥି ପାଇଁ ଅନେକ କସରତ କରିବାକୁ ପଡ଼ିଛି  ଏମାନଙ୍କୁ ।ପଞ୍ଚାୟତର  ପ୍ରତ୍ୟେକ ଲୋକଙ୍କୁ ମଦ ବିରୋଧରେ ସଚେତନ କରିବାକୁ ପଡ଼ିଛି । ଆଉ ସମସ୍ତଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ଆଜି ମଦମୁକ୍ତ ହୋଇପାରିଛି କତିଙ୍ଗିଆ ପଞ୍ଚାୟତ ।

{"id":166260}

ନିଜ ପଞ୍ଚାୟତକୁ ମଦମୁକ୍ତ ଅଂଚଳ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କତିଙ୍ଗିଆ ପଞ୍ଚାୟତବାସୀ । ଏବେ ସେମାନେ ପାଖ ପଞ୍ଚାୟତକୁ କିଭଳି ମଦମୁକ୍ତ କରାଯାଇପାରିବ ସେଇ କାମରେ ଲାଗିଛନ୍ତି । ଏମାନଙ୍କ ଭଳି ଆମେ ମଧ୍ୟ ଚାହିଁଲେ ଆମ ପଞ୍ଚାୟତ ବି ମଦମୁକ୍ତ ହୋଇପାରିବ । ଆଉ ମଦମୁକ୍ତ ସମାଜ ଗଠନ ହୋଇପାରିଲେ ରାଷ୍ଟ୍ରପିତା ମହାତ୍ମାଗାନ୍ଧିଙ୍କ ପ୍ରତି ତାହା ହେବ ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.