ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
20/01/2021 at 10:42 PM

ଓ୍ବାଶିଂଟନ ୨୦/୦୧: ମୂଳ ଭାରତୀୟ ତଥା କାଲିଫର୍ନିଆ ସିନେଟର କମଳା ହ୍ୟାରିସ୍ ହେଲେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି। ବୁଧବାର ୫୬ ବର୍ଷୀୟା ହ୍ୟାରିସ୍ ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଏହା ସହ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୁସେଫ ଆର ବାଇଡେନ୍ ଶପଥ ଗ୍ରହଣ କରିଛନ୍ତି।
ସୁପ୍ରିମକୋର୍ଟର ଜଷ୍ଟିସ୍ ସୋନିଆ ସୋଟୋମେୟର ହ୍ୟାରିସଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ଏହା ସହ ସେ ଇତିହାସ ରଚିଛନ୍ତି। ପ୍ରଥମ ଅଶ୍ବେତ ଓ ଦକ୍ଷିଣ ଏସିଆର ପ୍ରଥମ ମହିଳା ଭାବେ କମଳା ହ୍ୟାରିସ ଆମେରିକାର ଉପରାଷ୍ଟ୍ରପତି ହୋଇଛନ୍ତି।
ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ। ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ ଦେଇ ଡେମୋକ୍ରାଟ ନେତା ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ଆମେରିକାର ୪୬ ତମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ପାଇଛନ୍ତି ବାଇଡେନ୍ । ଜୋସେଫ ଆର ବାଇଡେନ୍ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ଏହା ପୂର୍ବରୁ ଓବାମା ରାଷ୍ଟ୍ରପତି ଥିବା ବେଳେ ବାଇଡେନ୍ ଆମେରିକାର ଉପରାଷ୍ଟ୍ରପତି ହୋଇଥିଲେ।
ଅନ୍ୟପଟେ ଆମେରିକାର ବାଇଡେନ୍ ସବୁଠୁ ବୟସ୍କ ରାଷ୍ଟ୍ରପତି ହୋଇଛନ୍ତି। ନଭେମ୍ବର ୨୦୨୦ରେ ବାଇଡେନ୍ ୭୮ ବର୍ଷରେ ପଦାର୍ପଣ କରିଛନ୍ତି।